କୃଷକ ଆନ୍ଦୋଳନକୁ ସମର୍ଥନ କରି ରାହୁଲ- ପ୍ରିୟଙ୍କାଙ୍କ ସୋସିଆଲ ମିଡିଆ ଅଭିଯାନ ‘ସ୍ପିକ୍ ଫର ଫାର୍ମରର୍ସ ’ । ଏନଡିଏ ସରକାରକୁ ଟାର୍ଗେଟ୍ କରି ରାହୁଲ କହିଲେ ଅନ୍ନଦାତାଙ୍କ ଉପରେ ଅତ୍ୟାଚାର ବନ୍ଦ କର

128

 କନକ ବ୍ୟୁରୋ : ଦେଶର କୃଷକ ମାନେ ନୂତନ କୃଷି ବିଲ୍ କୁ ବିରୋଧ କରି ଆରମ୍ଭ ଦିଲ୍ଲୀ, ପଞ୍ଜାବ, ହରିଆଣା, ଉତ୍ତରପ୍ରଦେଶ ଆଦି ରାଜ୍ୟର ସୀମାରେ ବିକ୍ଷୋଭ ଜାରି ରଖିଛନ୍ତି । କୃଷକଙ୍କ ଏଭଳି ପ୍ରତିବାଦ ରାଲିକୁ ଦେଶର ବିଭିନ୍ନ କୃଷକ ସଂଗଠନ ସହ ରାଜନୈତିକ ଦଳମାନେ ବାହାରୁ ସମର୍ଥନ ଦେଉଥିବା ଦେଖା ଦେଇଛି । ଖାଲି ରାଜନୈତୀକ ଦଳ ନୁହନ୍ତି ଅନେକ ନାମିଦାମି କଳାକାର ଓ ଶେଷରେ ଗତକାଲି ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ପୂର୍ଣ୍ଣ ଲୋକପାଳ ବିଲ୍ ଆନ୍ଦୋଳନର ମୁଖ୍ୟ ଅନ୍ନା ହଜାରେ ।
ହେଲେ ଦେଶର ବିରୋଧୀଦଳ କଂଗ୍ରେସ ଏକ ନୂଆ ତରିକାରେ କୃଷକଙ୍କୁ ସମର୍ଥନ ଜଣାଉଛି । ଏନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ‘ସ୍ପିକ୍ ଫର ଫାର୍ମରର୍ସ ’  ନାମରେ ସୋସିଆଲ ମିଡିଆରେ ଏକ ଅଭିଯାନ ଆରମ୍ଭ କରିଛନ୍ତି । ଏହାସହ ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ଟାର୍ଗେଟ୍ କରି ଏକ ଟ୍ୱିଟ୍ କରିଛନ୍ତି । ସେ ତାଙ୍କ ଟ୍ୱିଟ୍ରେ ଲେଖିଛନ୍ତି କି, କେନ୍ଦ୍ରସରକାର କୃଷକ ମାନଙ୍କ ପାଇଁ କଳା ଆଇନ ଆଣିବା ସହିତ ସେମାନଙ୍କ ଉପରେ ଅତ୍ୟାଚାର ଜାରି ରଖିଛନ୍ତି । ହେଲେ ଚାଷୀର ସ୍ୱର ଯେ ସାରା ଦେଶରେ ଗୁଞ୍ଜି ଉଠିବ ସେକଥାକୁ ଭୁଲି ଯାଇଛନ୍ତି ସରକାର । ସରକାରଙ୍କର ଏଭଳି ଚାଷୀମାରଣ ନୀତିକୁ ସହ୍ୟ କରାଯିବନାହିଁ ବୋଲି ରାହୁଲ ତାଙ୍କ ଟ୍ୱିଟରରେ ଲେଖିଛନ୍ତିା
ଅନ୍ୟପଟେ ପ୍ରିୟଙ୍କା ଗାନ୍ଧୀ ବି ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି କି ଚାଷୀଙ୍କ ପାଇଁ ସରକାର ଆଣିଥିବା ଆଇନ ବଳରେ କେବଳ କୋଟିପତି ବ୍ୟବସାୟୀଙ୍କର ଲାଭ ହେବ । ଏହି ଆଇନ ଦ୍ୱାରା କେବେ ବି କୃଷକଙ୍କର ଆର୍ଥିକ ବିକାଶ ହୋଇପାରିବ ନାହିଁ । ସରକାର ଜାଣିଶୁଣି ଚାଷୀଙ୍କ ପେଟରେ ଲାତ ମାରିଥିବା ସେ ଅଭିଯୋଗ କରିଛନ୍ତି ।