ମୋଦିଙ୍କ ଦ୍ୱିତୀୟ ପାଳି : ଦଶ ମାସରେ କଂଗ୍ରେସ ହାତରୁ ବିଜେପି ନେଲାଣି ୨ ବଡ ରାଜ୍ୟ ।

5,233

କନକ ବ୍ୟୁରୋ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ପଦରୁ କମଳନାଥ ଇସ୍ତଫା ଦେବା ପରେ ପୁଣିଥରେ ପଦ୍ମ ଶିବିର ଚଳଚଞ୍ଚଳ ହୋଇ ଉଠିଛି । ପୂରା ଦେଶରେ ଗେରୁଆ ବାନା ଉଡାଇବା ସହ କଂଗ୍ରେସ ମୁକ୍ତ ଭାରତ ସ୍ୱପ୍ନକୁ ପୂରା କରିବାକୁ ଆଉ ଗୋଟିଏ ପାଦ ଆଗକୁ ବଢାଇଛି ବିଜେପି । ମୋଦିଙ୍କ ଦ୍ୱିତୀୟ ପାଳିରେ ପୁଣିଥରେ ଏହାର ଝଲକ ଦେଖିବାକୁ ମିଳିଛି । ଗତ ଦଶମାସ ମଧ୍ୟରେ କର୍ଣ୍ଣାଟକରେ ଥିବା କଂଗ୍ରେସ-ଜେଡିଏସ ମେଣ୍ଟ ସରକାରକୁ ଭାଙ୍ଗି ବିଜେପି ସେଠାରେ ସରକାର ଗଢିଥିବା ବେଳେ ଏବେ ମଧ୍ୟପ୍ରଦେଶରେ ସରକାର ଗଢିବା ଦ୍ୱାରଦେଶରେ ପହଞ୍ଚିଛି ବିଜେପି । ଏହି ଦୁଇ ରାଜ୍ୟରେ ଆବଶ୍ୟକୀୟ ସଂଖ୍ୟା ନଥିବାରୁ ବିଜେପି ସରକାର ଗଢି ପାରିନଥିଲା । କିନ୍ତୁ ବିଜେପି ଚାଣକ୍ୟ ଅମିତ ଶାହାଙ୍କ ସୁଚିନ୍ତିତ ରଣନୀତି କଂଗ୍ରେସକୁ କ୍ଷମତା ସିଂହାସନରୁ ବିଦା କରିଛି ।

ମଧ୍ୟପ୍ରଦେଶରେ ଲାଗି ରହିଥିବା ରାଜନୈତିକ ଲଢେଇ ଭିତରେ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କମଳନାଥ । ଆଉ ଏହାସହ ଭାଙ୍ଗିଛି ୧୫ ମାସର କମଳନାଥ ସରକାର । ଯାହା କଂଗ୍ରେସକୁ ବଡ ଝଟକା ଦେଇଛି । ଦେଶରେ କଂଗ୍ରେସ ଅଣ୍ଟା ସଳଖି ଛିଡା ହେବାକୁ ଚେଷ୍ଟା କରୁଥିବା ବେଳେ ବିଜେପିର ବଜ୍ର ପ୍ରହାରରେ ରାଜନୀତି ମୈଦାନରେ ପୁଣିଥରେ ଚିତ୍ ହୋଇଛି କଂଗ୍ରେସ । ୨୦୧୮ରେ ହୋଇଥିବା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିର ୧୫ ବର୍ଷର ଗଡ ଭାଙ୍ଗିଥିଲା କଂଗ୍ରେସ । ୨୩୦ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ କମଳନାଥଙ୍କ ନେତୃତ୍ୱରେ କଂଗ୍ରେସ ୧୧୪ ଆସନ ହାତେବା ସହ ବଡ଼ ଦଳ ଭାବେ ଉଭା ହୋଇଥିଲା । ତେବେ ସରକାର ଗଢିବାକୁ ମ୍ୟାଜିକ ନମ୍ବର ହାତେଇ ପାରିନଥିଲା । ସେହିଭଳି ବିଜେପି ୧୦୯ ଆସନ ସହ ଦ୍ୱିତୀୟ ବଡ ଦଳ ଭାବେ ଉଭା ହୋଇଥିଲେ ମଧ୍ୟ ଏସପି, ବିଏସପି, ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ କଂଗ୍ରେସ ମଧ୍ୟପ୍ରଦେଶରେ କମବ୍ୟାକ୍ କରିଥିଲା ।

୧୫ ବର୍ଷର ଗଡକୁ ଭାଙ୍ଗି ମଧ୍ୟପ୍ରଦେଶ ମହାସିଂହାସନରେ ବସିଥିବା କମଳନାଥଙ୍କୁ ୧୫ ମାସ ମଧ୍ୟରେ ବିଦା ହେବାକୁ ପଡିଛି । ଆଉ ଏଥିରେ ଜ୍ୟୋତିରାଦିତ୍ୟଙ୍କର ରହିଛି ବଡ ଭୂମିକା । ଜ୍ୟୋତିରାଦିତ୍ୟ କଂଗ୍ରେସ ଛାଡି ବିଜେପିରେ ସାମିଲ ହେବା ଓ ପରେ ପରେ ୨୨ କଂଗ୍ରେସ ବିଧାୟକ ନିଜ ପଦରୁ ଇସ୍ତଫା ଦେବା ମଧ୍ୟପ୍ରଦେଶରେ କମଳନାଥଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ କରିଛି । ଶତଚେଷ୍ଟା ପରେ ମଧ୍ୟ କଂଗ୍ରେସ ହାତରୁ ଖସିଯାଇଛି ଆଉ ଏକ ରାଜ୍ୟ ।

ସେହିଭଳି ୨୦୧୯ ସାଧାରଣ ନିର୍ବାଚନରେ ବିପୁଳ ବିଜୟ ପରେ କର୍ଣ୍ଣାଟକରେ ବିଜେପି ଆରମ୍ଭ କରିଥିଲା ଅପରେସନ ଲୋଟସ । ଯେଉଁଥିପାଇର୍ ଭାଙ୍ଗିଯାଇଥିଲା କଂଗ୍ରେସ-ଜେଡିଏସ ମେଣ୍ଟ ସରକାର । ୨୦୧୮ ନିର୍ବାଚନରେ ସରକାର ଗଢିବାକୁ ଆବଶ୍ୟକୀୟ ସଂଖ୍ୟା ନଥିଲେ ମଧ୍ୟ ବଡ ଦଳ ଭାବେ ଉଭା ହୋଇଥିଲା ବିଜେପି । ଏପରିକି ୟେଦ୍ୟୁରପ୍ପାଙ୍କ ନେତୃତ୍ୱରେ ୬ ଦିନ ପାଇଁ ସରକାର ଗଢିଥିଲା ବିଜେପି । ତେବେ ଏହି କଂଗ୍ରେସ-ଜେଡିଏସ ହାତ ମିଳାଇବାରୁ ବିଜେପି ହାତରୁ ଖସି ଯାଇଥିଲା କର୍ଣ୍ଣାଟକର ଶାସନ ଡୋରି । ତେବେ ଲୋକସଭା ନିର୍ବାଚନର ଠିକ୍ ପରେ ପରେ ମେଣ୍ଟ ସରକାରରେ ଦେଖାଦେଇଥିଲା ଫାଟ । ମେଣ୍ଟର ୧୭ ଜଣ ବିଧାୟକ ବିଦ୍ରୋହ କରିବା ସହ ଦଳ ଛାଡିଥିଲେ ।ସେହିଭଳି ୨ ଜଣ ସ୍ୱାଧୀନ ବିଧାୟକ ସମର୍ଥନ ପ୍ରତ୍ୟାହାର କରି ନେବାରୁ ଅଳ୍ପମତକୁ ଆସି ଯାଇଥିଲା ମେଣ୍ଟ ସରକାର । ଆଉ ଦୀର୍ଘ ଦିନର ରାଜନୈତିକ ନାଟକ ପରେ ଶେଷରେ ଫ୍ଲୋର ଟେଷ୍ଟରେ ଫେଲ୍ ମାରିଥିଲା କୁମାରସ୍ୱାମୀ ସରକାର । ଆଉ ଏହାସହ ପୁଣିଥରେ ୟେଦ୍ୟୁରପ୍ପାଙ୍କ ନେତୃତ୍ୱରେ କର୍ଣ୍ଣାଟକରେ କମବ୍ୟାକ୍ କରିଥିଲା ବିଜେପି । ଏସବୁ ଭିତରେ ଏବେ ରାଜସ୍ଥାନରେ କର୍ଣ୍ଣାଟକ ଓ ମଧ୍ୟପ୍ରଦେଶରେ ପୁନରାବୃତ୍ତି ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ଏବେ ସହଯୋଗୀ ଦଳଙ୍କ ସମର୍ଥନରେ ବିଜେପି ୧୮ଟି ରାଜ୍ୟରେ ସରକାର ଗଢିଥିବା ବେଳେ କଂଗ୍ରେସ ଅନ୍ୟ ଦଳ ସହ ମେଣ୍ଟ କରି ମାତ୍ର ୪ଟି ରାଜ୍ୟରେ ହାତ ଟେକିଛି ।