କଂଗ୍ରେସର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ନାହିଁ ଓଡ଼ିଶାର କୌଣସି ପ୍ରାର୍ଥୀଙ୍କ ନାଁ ।

136

କନକ ବ୍ୟୁରୋ: କଂଗ୍ରେସର ଚତୁର୍ଥ ପର୍ଯ୍ୟାୟ ୪୬ ପ୍ରାଥୀଙ୍କୁ ମିଶାଇ ମୋଟ ୧୮୩ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଲାଣି । କିନ୍ତୁ ଏଥିରେ ବି ନାହିଁ ଓଡିଶାର କୌଣସି ପ୍ରାର୍ଥୀଙ୍କ ନାଁ ।

କେବଳ ଓଡିଶା ନୁହେଁ ଏପର୍ଯ୍ୟନ୍ତ କଂଗ୍ରେସର ଦୁଇ ପ୍ରମୁଖ ଆସନ ଉତରପ୍ରଦେଶର ରାଇବରେଲୀ ଏବଂ ଆମେଠିରୁ ଦଳ ପ୍ରାର୍ଥୀ ଘୋଷଣା କରିନାହିଁ । ୨୦୧୯ ଲୋକସଭା ନିର୍ବାଚନରେ ଆମେଠିରୁ ବିଜେପିର ସ୍ମୃତି ଇରାନୀଙ୍କ ଠୁ ୫୦ ହଜାରରୁ ଅଧିକ ଭୋଟରେ ହାରିଥିଲେ ରାହୁଲ । ଏଥର ସ୍ମୃତି ଇରାନୀଙ୍କୁ ବିଜେପି ପୁଣି ଆମେଠିରୁ ପ୍ରାଥୀ କରିଥିବା ବେଳେ ରାହୁଲଙ୍କୁ ନିର୍ବାଚନ ଲଢିବାକୁ ଚ୍ୟାଲେଞ୍ଜ କରିଛନ୍ତି ସ୍ମୃତି ଇରାନୀ । ତେବେ ଏଥର ପୁଣି ଥରେ ରାହୁଲ ଆମେଠିରୁ ଲଢିପାରନ୍ତି ବୋଲି କୁହାଯାଉଛି । କେରଳର ୱାଇନାଡ ଆସନ ସହ ଆମେଠିରୁ ମଧ୍ୟ ରାହୁଲ ଗାନ୍ଧୀ ଲଢିବେ ବୋଲି କୁହାଯାଉଛି । ସେପଟେ ସୋନିଆ ଗାନ୍ଧୀ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିବା ବେଳେ ତାଙ୍କ ଆସନ ରାଇବରେଲିରୁ କିଏ ପ୍ରାର୍ଥୀ ହେବ ତାକୁ ନେଇ ଚର୍ଚ୍ଚା ହେଉଛି । କୁହାଯାଉଛି ଏଥର ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରଥମ ଥର ପାଇଁ ନିର୍ବାଚନ ଲଢିବା ସହ ରାଇବରେଲିରୁ ପ୍ରାଥୀ ହୋଇପାରନ୍ତି । ରାଇବରେଲିରୁ ସୋନିଆ ଗାନ୍ଧୀ ଲଗାତାର ୫ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

୧୮୩ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଥିଲେ ମଧ୍ୟ ଓଡ଼ିଶାର ଜଣେ ବି ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ ଦଳ । କୁହାଯାଉଛି ବିଜେପି, ବିଜେଡିର ପ୍ରାର୍ଥୀ ଘୋଷଣା ପରେ କଂଗ୍ରେସ ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା କରିବ ।