ବିଜେପି ର ଋଣନୀତି ଆଗରେ ମମତା ଅସହାୟ । ମହାଗଠବନ୍ଧନ ପାଇଁ କଂଗ୍ରେସ ଓ ବାମ ମୋର୍ଚ୍ଚାକୁ ଆହ୍ୱାନ । ବାମଦଳ କହିଲା ବିଜେପି ଭଳି ମମତା ବି ଦେଶର ଶତ୍ରୁ

233

କନକ ବ୍ୟୁରୋ : ଏପ୍ରିଲ କିମ୍ବା ମେ ମାସରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ଆକ୍ରମକ ଢଙ୍ଗରେ ମମତା ସରକାର ଉପରେ ଆକ୍ରମଣ କରୁଛି । ଦୈନିକ କେହି ନା କେହି ବରିଷ୍ଠ ନେତା ମମତାଙ୍କ ହାତ ଛାଡି ବିଜେପିରେ ଯୋଗ ଦେଉଛନ୍ତି । ଯାହାକୁ ନେଇ ମମତା ବାନାର୍ଜୀ ପୁରା ଅସହାୟ ହୋଇପଡିଛନ୍ତି ।

ବିଜେପିକୁ ପରାଜୟର ଦ୍ୱାର ଦେଖାଇବାକୁ ସେ ବିରୋଧୀ କଂଗ୍ରେସ ଓ ବାମଦଳକୁ ସାଥ୍ ଦେବାକୁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି କି ଯଦି କଂଗ୍ରେସ ଓ ବାମମୋର୍ଚ୍ଚା ବିଜେପିକୁ ଶତ୍ରୁ ବୋଲି ବିବେଚନା କରୁଥାଏ ତାହେଲେ ପଶ୍ଚିମବଙ୍ଗରେ ମହାଗଠବନ୍ଧନ କରାଯାଇଛି ବିହାର ଭଳି ବିଜେପି ବିରୋଧରେ ଲଢେଇ କରିବାକୁ ସମସ୍ତେ ଗୋଟିଏ ମଞ୍ଚକୁ ଆସନ୍ତୁ ।

ମମତା ବାନାର୍ଜୀ ବୁଧବାର ଦିନ ଏଭଳି ଆହ୍ୱାନ ଦେଇଥିବା ବେଳେ ଆଜି (ଗୁରୁବାର) ଏହାକୁ ଖାରଜ କରିଛନ୍ତି ଉଭୟ କଂଗ୍ରେସ ଓ ବାମମୋର୍ଚ୍ଚାର ନେତା । ରାଜ୍ୟ କଂଗ୍ରେସର ପ୍ରମୁଖ ଅଧିର ରଂଜନ ଚୌଧୁରୀ କହିଛନ୍ତି କି କଂଗ୍ରେସ କେବେ ବି ମମତାଙ୍କ ସହ ମେଣ୍ଟ କରିବା କଥା ଭାବି ପାରିବ ନାହିଁ । କାରଣ ୧୦ ବର୍ଷ ହେବ ମମତା କଂଗ୍ରେସ ବିଧାୟକଙ୍କୁ କିଣି ଦଳକୁ ଦୁର୍ବଳ କରିଛି । ତେଣୁ ଏବେ ମେଣ୍ଟ କଥା ପ୍ରଶ୍ନ ଉଠୁ ନାହିଁ । ଯଦି ମମତା ଏତେ ଦୁର୍ବଳ ହୋଇପଡିଛନ୍ତି ତେବେ ସେ ପୁଣିଥରେ କଂଗ୍ରେସରେ ମିଶି ଯା’ନ୍ତୁ । କାରଣ ପଶ୍ଚିମବଙ୍ଗରେ ବିଜେପିର ଶକ୍ତି ବୃଦ୍ଧି ପାଇଁ ମମତା ହିଁ ଦାୟୀ ।

ଅନ୍ୟପଟେ ମମତାଙ୍କ ଚିରଶତ୍ରୁ ବାମଦଳର ନେତା ମାନେ କହିଛନ୍ତି କି ମମତା ଓ ବିଜେପି ଭିତରେ କିଛି ଫରକ୍ ନାହିଁ । ଉଭୟ ହିଂସା ମାଧ୍ୟମରେ କ୍ଷମତା ହାସଲ କରିବାକୁ ଚାହାନ୍ତି । ଉଭୟ ଦଳ ଦେଶ ପାଇଁ ଶତ୍ରୁ । ତେଣୁ ମମତାଙ୍କ ଆହ୍ୱାନର କିଛି ମାନେ ନାହିଁ କି ଏହାକୁ ବାମଦଳ ଗ୍ରହଣ କରିବ ନାହିଁ । କହିରଖୁ କି ୧୯୯୮ ମସିହାରେ କଂଗ୍ରେସରୁ ସଂପର୍କ ଛିନ୍ନ କରି ମମତା ବାନାର୍ଜୀ ତୃଣମୂଳ କଂଗ୍ରେସ ଗଠନ କରିଥିଲେ । ଏହା ପରେ ସେ ବାମ ସରକାର ବିରୋଧରେ ଲଢେଇ କରି ୨୦୧୧ ମସିହାରେ କ୍ଷମତା ହାସଲ କରିଥିଲେ ।