ରାଜସ୍ଥାନ ଓ ଛତିଶଗଡରେ କଂଗ୍ରେସର ଆସିଲା ଅଚ୍ଛେ ଦିନ୍ ! ମଧ୍ୟପ୍ରଦେଶରେ ଚାଲିଛି କଡା ଟକ୍କର ।

318

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ, ମିଜୋରାମ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନର ପ୍ରାରମ୍ଭିକ ଫଳାଫଳ ଟ୍ରେଣ୍ଡ ସାରା ଦେଶକୁ ଆଶ୍ଚର୍ଯ୍ୟ କରିଦେଇଛି । ଆଜି ସକାଳ ୮ଟାରୁ ଭୋଟ୍ ଗଣନା ଆରମ୍ଭ ହୋଇଯାଇଥିବା ବେଳେ, ରିପୋର୍ଟ ଲେଖିବା ସମୟ ପର୍ଯ୍ୟନ୍ତ ରାଜସ୍ଥାନ ଓ ଛତିଶଗଡରେ ବିଜେପିକୁ ପଛରେ ପକାଇ ଆଗକୁ ବଢିଚାଲିଛି କଂଗ୍ରେସ । ଏହି ଦୁଇଟି ରାଜ୍ୟରେ କଂଗ୍ରେସ ସରକାର ଗଢିବା ସ୍ପଷ୍ଟ ହୋଇଥିବା ପ୍ରାରମ୍ଭିକ ଟ୍ରେଣ୍ଡରୁ ଜଣାପଡିଛି । ସେହିପରି ମଧ୍ୟପ୍ରଦେଶରେ ବିଜେପିକୁ କଡା ଟକ୍କର ଦେଉଛି କଂଗ୍ରେସ ।

ମଉଳିଲା ପଦ୍ମ, ଉଠୁଛି ହାତ । ନିର୍ବାଚନ ପରେ ଏଗଜିଟ୍ ପୋଲ ରିପୋର୍ଟ ବିଜେପିକୁ ଅଧିକାଂଶ ରାଜ୍ୟରେ ବହୁମତ ଦେଇଥିଲା । କିନ୍ତୁ ଆଜି ଆସିଥିବା ନିର୍ବାଚନ ଫଳାଫଳର ପ୍ରାରମ୍ଭିକ ଟ୍ରେଣ୍ଡ ସାରା ଦେଶକୁ ଆଶ୍ଚର୍ଯ୍ୟ କରିଦେଇଛି । ବିଜେପିର ଗଡ କୁହାଯାଉଥିବା ଛତିଶଗଡରେ ବିଜେପିକୁ ହଟାଇ କଂଗ୍ରେସ ସରକାର ଗଢିବା ଏକ ପ୍ରକାର ସ୍ପଷ୍ଟ ହୋଇଥିବା ପ୍ରାରମ୍ଭିକ ଟ୍ରେଣ୍ଡରୁ ଜଣାପଡିଛି । ସେହିପରି ରାଜସ୍ଥାନରେ ପ୍ରତି ୫ ବର୍ଷରେ ଥରେ ସରକାର ବଦଳିବାର ଯେଉଁ ଟ୍ରେଣ୍ଡ ରହିଥିଲା, ତାହା ପୁଣି ଥରେ କାଏମ ହେବାକୁ ଯାଉଛି । ପୁଣି କଂଗ୍ରେସ ଏଠାରେ ପ୍ରତ୍ୟାବର୍ତ୍ତନ କରିବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ସେହିପରି ମଧ୍ୟପ୍ରଦେଶରେ ମଧ୍ୟ ଚାଲିଛି କଡା ଟକ୍କର ।

ରିପୋର୍ଟ ଲେଖିବା ସମୟ ପର୍ଯ୍ୟନ୍ତ ରାଜସ୍ଥାନରେ ବିଜେପିକୁ ୭୬ ଆସନ ମିଳିଥିବା ବେଳେ କଂଗ୍ରେସକୁ ମିଳିଛି ୧୦୮ଟି ଆସନ । ସେହିପରି ଛତିଶଗଡରେ ବିଜେପିକୁ ୨୪ଟି ଆସନ ମିଳିଥିବା କଂଗ୍ରେସକୁ ମିଳିଠି ୯ଟି ଆସନ । ମଧ୍ୟପ୍ରଦେଶରେ ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି କଡା ଟକ୍କର । ଏଠାରେ ବିଜେପିକୁ ୧୧୧ଟି ଆସନ ମିଳିଥିବା ବେଳେ କଂଗ୍ରେସକୁ ମଧ୍ୟ ମିଳିଛି ୧୧୦ଟି ଆସନ ।