କନକ ବ୍ୟୁରୋ: ନିର୍ବାଚନକୁ ଖାମଖିଆଲି ଭାବେ ନେଉଛନ୍ତି ରାଜ୍ୟ କଂଗ୍ରେସ ନେତା । ଦିଲ୍ଲୀରେ ଲୋକସଭା କ୍ଷେତ୍ର ସଂଯୋଜକଙ୍କ ବୈଠକ ଡାକିଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ହେଲେ ୨୧ଜଣ ସଂଯୋଜକଙ୍କ ମଧ୍ୟରୁ ମାତ୍ର ୯ଜଣ ଏହି ବୈଠକରେ ଯୋଗଦେଇଥିଲେ । ଏହାକୁ ନେଇ ଖପ୍ପା ହୋଇଛନ୍ତି ଖଡଗେ । ଯେଉଁ ନେତାମାନେ ବୈଠକକୁ ଆସିନଥିଲେ ସେମାନଙ୍କୁ କୈଫତ ମଗାଯିବ ଓ ଉତର ସନ୍ତୋଷଜନକ ନହେଲେ ପଦରୁ ହଟାଇ ଦିଆଯିବ ବୋଲି କୁହାଯାଇଛି ।

ଦିଲ୍ଲୀରେ ଆୟୋଜିତ କଂଗ୍ରେସର ଲୋକସଭା କ୍ଷେତ୍ର ସଂଯୋଜକଙ୍କ ବୈଠକ ଡାକିଥିଲେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଓଡ଼ିଶାର ୨୧ ଜଣ ସଂଯୋଜକଙ୍କ ମଧ୍ୟରୁ ମାତ୍ର ୯ ଜଣ ଏହି ବୈଠକରେ ସାମିଲ ହେବା ପାଇଁ ଦିଲ୍ଲୀ ଯାଇଥିବା ବେଳେ ୧୨ ଜଣ ରହିଥିଲେ ଅନୁପସ୍ଥିତ । ଏହାକୁ ନେଇ ଖପ୍ପା ହୋଇଛନ୍ତି ଖଡଗେ । ରାଜ୍ୟ ପ୍ରଭାରୀ ଅଜୟ କୁମାର ମଧ୍ୟ ଏହି ବୈଠକରେ ସାମିଲ ହୋଇଥିଲେ । ନିର୍ବାଚନ ପାଇଁ ସିରିଅସ୍ ନଥିବା ଓଡ଼ିଶା ନେତାଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଜୟ କୁମାର । ଯେଉଁମାନେ ବୈଠକରେ ଯୋଗ ଦେଇନାହାନ୍ତି, ସେମାନଙ୍କୁ କୈଫୟତ ମଗାଯିବ । ଯଦି ସନ୍ତୋଷଜନକ ଉତ୍ତର ଦେଇପାରିବେ ନାହିଁ, ସଂଯୋଜକ ପଦରୁ ହଟାଇ ଦିଆଯିବ ବୋଲି ନିଷ୍ପତି ନିଆଯାଇଛି ।

ବୈଠକରେ ନିର୍ବାଚନ ପାଇଁ ନେତାଙ୍କୁ ଟାର୍ଗେଟ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ । ଦଳର ଲୋକସଭା କ୍ଷେତ୍ର ସଂଯୋଜକଙ୍କୁ କହିଛନ୍ତି -
ଯେତେ ସମ୍ଭବ ଲୋକଙ୍କ ନିକଟରେ ପହଁଚନ୍ତୁ
ତୃଣମୂଳ ସ୍ତରରେ ଦଳକୁ ପରିଚାଳନା କରନ୍ତୁ
ସାଂସଦ ଓ ବିଧାୟକଙ୍କ ମଧ୍ୟରେ ବିବାଦ ତୁଟାଇ ସେମାନଙ୍କୁ ଏକାଠି କରନ୍ତୁ

ଆସନ୍ତା ୧୪ ତାରିଖରେ ମଣିପୁରରେ ରାହୁଲ ଗାନ୍ଧୀ ଆରମ୍ଭ କରିବେ ଭାରତ ଯୋଡ଼ ନ୍ୟାୟ ଯାତ୍ରା । ଏହି ଯାତ୍ରାରେ ସାମିଲ ହେବାକୁ ସମସ୍ତ କଂଗ୍ରେସ ସାଂସଦ ଏକାଠି ଫ୍ଲାଇଟ୍ରେ ଯାଇ ମଣିପୁରରେ ପହଁଚିବେ । ଏପଟେ ଆସନ୍ତା ୨୯ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ସାଧାରଣ ସଂପାଦକ କେ.ସି. ଭେନୁଗୋପଳଙ୍କର ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଥିବା ନେଇ ଦଳୀୟ ସୂତ୍ରରୁ ସୂଚନା ମିଳିଛି ।