ରାଜସ୍ଥାନ ରାଜନୈତିକ ସଙ୍କଟ ଭିତରେ ଗେହଲଟଙ୍କ ଶକ୍ତି ପ୍ରଦର୍ଶନ: ବିଧାୟକ ଦଳ ବୈଠକରେ ଶହେରୁ ଅଧିକ ବିଧାୟକ ସାମିଲ ହୋଇ ଦେଖାଇଲେ ବିଜୟ ସୂଚକ

ସଚିନ ପାଇଲଟଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ନଜର

860

କନକ ବ୍ୟୁରୋ: ରାଜସ୍ଥାନରେ ରାଜନୈତିକ ସଂକଟ ଭିତରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଶକ୍ତି ପ୍ରଦର୍ଶନ । ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ବିଦ୍ରୋହ ପରେ ଅଶୋକ ଗେହଲଟ ସରକାର ରହିବ କି ଯିବ ସେ ନେଇ ଆଶଙ୍କା ପ୍ରକାଶ ପାଇଥିବା ବେଳେ ଶକ୍ତି ପ୍ରଦର୍ଶନ କରିଛନ୍ତି ଅଶୋକ ଗେହଲଟ । ବିଧାୟକ ଦଳ ବୈଠକରେ ଶହେରୁ ଅଧିକ ବିଧାୟକ ସାମିଲ ହୋଇ ବିଜୟ ସୂଚକ ପ୍ରଦର୍ଶନ କରିଛନ୍ତି । ଅଶୋକ ଗେହଲଟଙ୍କ ବାସଭବନରେ ଏକାଠି ହୋଇଛନ୍ତି କଂଗ୍ରେସ ବିଧାୟକ । ଦିନ ସାଢେ ୧୦ଟାରେ ବିଧାୟକ ଦଳ ବୈଠକ ଆରମ୍ଭ ହେବାର ଥିଲା କିନ୍ତୁ ଏଥିରେ ବିଳମ୍ବ ହୋଇଥିଲେ ମଧ୍ୟ ଶହେରୁ ଅଧିକ ବିଧାୟକଙ୍କ ଏକତ୍ରିତ କରି ଶକ୍ତି ପ୍ରଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ।

ବୈଠକ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ବାସଭବନରେ ୯୦ ଜଣ କଂଗ୍ରେସ ବିଧାୟକ ଉପସ୍ଥିତ ହୋଇଥିଲେ । ବିଧାୟକ ଦଳ ବୈଠକ ଉପସ୍ଥିତି ରହିବାକୁ ଦଳ ପକ୍ଷରୁ ସମସ୍ତଙ୍କୁ ହ୍ୱିପ ଜାରି କରାଯାଇଥିଲା । ଶେଷ ମୁହୂର୍ତିରେ କଂଗ୍ରେସ ହାଇକମାଣ୍ଡ ବୁଝାମଣା କରିବାକୁ ଉଦ୍ୟମ କରିଥିଲେ । ଜୟପୁରରେ ଦଳର ବରିଷ୍ଠ ନେତା ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି, ଗତ ୪୮ରୁ ୭୨ ଘଂଟା ମଧ୍ୟରେ ସଚିନଙ୍କୁ ଯୋଗାଯୋଗ କରାଯାଇଛି । ବୈଚାରିକ ମତଭେଦ ଥିଲେ ବି ସରକାରକୁ ଦୁର୍ବଳ କରାଯିବା ଠିକ ନୁହେଁ । ସୋନିଆ ଓ ରାହୁଲ ଗାନ୍ଧିଙ୍କ ପାଇଁ ସମସ୍ତଙ୍କ ଦ୍ୱାର ଖୋଲା ରହିଛି ।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଶକ୍ତି ପ୍ରଦର୍ଶନ ପରେ କଣ ରହିବ ସଚିନ ପାଇଲଟଙ୍କ ପରବର୍ତୀ ପଦକ୍ଷେପ ତାରି ଉପରେ ରହିଛି ନଜର । ବିଧାୟକ ଦଳ ବୈଠକରେ ସାମିଲ ହେବେ ନାହିଁ ବୋଲି ରୋକଠୋକ ଜଣାଇଦେଇଥିଲେ ସଚିନ । ତାଙ୍କ ସହ ୨୫ରୁ ଅଧିକ ବିଧାୟକ ଅଛନ୍ତି ବୋଲି ମଧ୍ୟ ସେ ଦାବି କରିଥିଲେ । ତେବେଯେଉଁମାନେ ବୈଠକରେ ସାମିଲ ହେବେ ନାହିଁ ସେମାନଙ୍କ ବିରୋଧରେ ଦଳ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାର ସଙ୍କେତ ଦେଇଛି । ଏପରିସ୍ଥିତିରେ ଦଳ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଲେ ପାଇଲଟଙ୍କ ପରବର୍ତି ପଦକ୍ଷେପ କଣ ରହିବ ।

ଆଉ ଏହାର ପ୍ରଭାବ ଗେଗେଲଟ ସରକାରଙ୍କ ଉପରେ ପଡିବ ନା ନାହିଁ, ତାକୁ ନେଇ କଳ୍ପନା ଜଳ୍ପନା ଚାଲିଛି । ସେପଟେ କଂଗ୍ରେସ ଦାବି କରୁଛି ରାଜସ୍ଥାନର ୧୦୯ ଜଣ ବିଧାୟକ ଅଶୋକ ଗେହେଲଟ ସରକାରକୁ ସମର୍ଥନ ଜଣାଇଛନ୍ତି । ରାଜସ୍ଥାନ ସରକାରର ଟଳମଳ ସଙ୍କଟକୁ ସୁଧାରିବା ପାଇଁ କଂଗ୍ରେସ ହାଇକମାଣ୍ଡ ତିନି ବରିଷ୍ଠ ନେତାଙ୍କୁ ପଠାଇଛନ୍ତି । ବରିଷ୍ଠ କଂଗ୍ରେସ ନେତା ଅଜୟ ମାକେନ, ରାଜସ୍ଥାନ କଂଗ୍ରେସ ପ୍ରଦେଶ କମିଟି ମୁଖ୍ୟ ଅବିନାଶ ପାଣ୍ଡେ ଏବଂ ଦଳର ବରିଷ୍ଠ ମୁଖପାତ୍ର ରଣଦୀପ ସୁର୍ଯେୱାଲା ରାଜସ୍ଥାନରେ ରହି ସ୍ଥିତି ଉପରେ ନଜର ରଖିିଛନ୍ତି