କଂଗ୍ରେସ ଛାଡି ବିଜେପିରେ ସାମିଲ ହେଲେ ବକ୍ସର ବିଜେନ୍ଦର ସିଂ । ମଥୁରାରୁ ହୋଇପାରନ୍ତି ବିଜେପି ପ୍ରାର୍ଥୀ ।

250

କନକ ବ୍ୟୁରୋ : ପଦ୍ମ ଧରିଲେ ଅନ୍ତର୍ଜାତୀୟ ବକ୍ସର ବିଜେନ୍ଦର ସିଂ । ଦିଲ୍ଲୀସ୍ଥିତ ପାର୍ଟି କାର୍ଯ୍ୟାଳୟରେ ବିଜେପିରେ ଯୋଗ ଦେଇଛନ୍ତି ବିଜେନ୍ଦର ସିଂ । ବିଜେପିରେ ଯୋଗ ଦେବା ପରେ ବିଜେନ୍ଦର କହିଛନ୍ତି. ମୋର ଘରବାହୁଡା ହୋଇଛି । ବହୁତ ଭଲ ଲାଗୁଛି । ବିଜେପି ସରକାର ଯେବେଠାରୁ ଆସିଛି ଦେଶ ଓ ବିଦେଶରେ ଖେଳାଳୀଙ୍କର ମାନ ସମ୍ମାନ ବୃଦ୍ଧି ପାଇଛି । ମୁଁ ପୂର୍ବ ଭଳି ବିଜେନ୍ଦର ହିଁ ରହିବି । ଠିକ କଥାକୁ ଠିକ୍ କହିବି ଏବଂ ଭୁଲକୁ ଭୁଲ କହିବାରେ ଟିକିଏ ବି କୁଣ୍ଠାବୋଧ କରିବିନି ।

ବିଜେନ୍ଦର ସିଂ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗ ଦେବା ସହ ନିର୍ବାଚନ ଲଢିଥିଲେ । ବିଜେପି ପ୍ରାର୍ଥୀଙ୍କ ଠାରୁ ବହୁ ଭୋଟରେ ପରାଜିତ ହୋଇଥିଲେ ବିଜେନ୍ଦର । ତେବେ ବିଜେପିରେ ମିଶିବା ପରେ ଦଳ ତାଙ୍କୁ ପ୍ରାର୍ଥୀ କରିପାରେ । ଉତ୍ତରପ୍ରଦେଶର ମଥୁରାରୁ ବିଜେନ୍ଦର ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ବିଜେପିରେ ମିଶିଥିଲେ ମଧ୍ୟ ପ୍ରାର୍ଥୀ ହେବା ନେଇ କୌଣସି ସ୍ପଷ୍ଟ ସଂକେତ ଦେଇନାହାନ୍ତି ବିଜେନ୍ଦର ।

୨୦୦୮ ଅଲିମ୍ପିକ୍ସରେ ବିଜେନ୍ଦର ବ୍ରୋଞ୍ଜ ମେଡାଲ ଜିତିଥିଲେ ।ସେହିଭଳି ଏସିଆନ ଗେମ୍ସରେ ସ୍ୱର୍ଣ୍ଣପଦକ ଜିତିଥିଲେ ବିଜେନ୍ଦର ସିଂ । ଅନ୍ୟପଟେ କଂଗ୍ରେସରେ ଥିବା ବେଳେ ମୋଦୀ ସରକାରଙ୍କ ଉପରେ ପ୍ରତି ପ୍ରସଙ୍ଗରେ ବର୍ଷୁଥିଲେ ବିଜେନ୍ଦର ।