କୋଟିଆ ପ୍ରସଙ୍ଗ ଆଲୋଚନା ନହେଲେ ବନ୍ଦ ପାଳିବ କଂଗ୍ରେସ । ଆଲୋଚନା ପୂର୍ବରୁ ବଡ ବୟାନ ରଖିଲେ ତାରା 

61

କନକ ବ୍ୟୁରୋ : ଆସି ଅପରାହ୍ନରେ ଓଡିଶାରେ ପହଞ୍ଚିବେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି । ମୁଖ୍ୟମନ୍ତ୍ରୀଙ୍କ ସହ ଜଗନଙ୍କ ସାକ୍ଷାତ ପୂର୍ବରୁ କୋଟିଆ ପ୍ରସଙ୍ଗକୁ ନେଇ ବଡ ମନ୍ତବ୍ୟ ଦେଇଛନ୍ତି କଂଗ୍ରେସ ଦଳର ବିଧାୟକ ତାରା ବାହୀନିପତି । ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି, ଆଲୋଚନାରେ ଯଦି କୋଟିଆ ପ୍ରସଙ୍ଗ ନଉଠେ ତାହେଲେ ଆମେ ବନ୍ଦ ପାଳିବୁ । ଅବିଭକ୍ତ କୋରାପୁଟ ଜିଲ୍ଲା ବନ୍ଦ ଡାକରା ଦେବ କଂଗ୍ରେସ ।

ଏପଟେ, ଜଗନଙ୍କ ଗସ୍ତ ପୂର୍ବରୁ ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ମଧ୍ୟରେ  ଆଲୋଚନା ସରିଛି । ମୁଖ୍ୟ ଶାସନ ସଚିବଙ୍କ ମଧ୍ୟରେ କୋଟିଆ ପ୍ରସଙ୍ଗ ନେଇ ଆଲୋଚନା ହୋଇଛି କି ନାହିଁ, ସେନେଇ ସରକାର ସ୍ପଷ୍ଟିକରଣ ରଖନ୍ତୁ ବୋଲି ଦାବି ଉଠାଇଛନ୍ତି ତାରା । କହିଛନ୍ତି, ଆନ୍ଧ୍ର ଶାସନ ସଚିବ ଓ ଅଧିକାରୀଙ୍କ ସହ ଆଲୋଚନା ପାଇଁ ପୂର୍ବରୁ କହିଥିଲି । କେଉଁ ପ୍ରସଙ୍ଗରେ ଆଲୋଚନା ହେବ ଆନ୍ଧ୍ର ସେନେଇ ଏଜେଣ୍ଡା ଦେଇଛି । କିନ୍ତୁ ଓଡିଶା ସରକାର ଏଯାଏଁ ଏଜେଣ୍ଡା କଣ ରହିଛି ତାକୁ ସ୍ପଷ୍ଟ କରୁନାହାନ୍ତି । ଏଜେଣ୍ଡାରେ କୋଟିଆ ପ୍ରସଙ୍ଗ ଅଛି କି ନାହିଁ ଏବଂ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ତୁରନ୍ତ ସ୍ପଷ୍ଟ କରନ୍ତୁ ସରକାର ।

ତାରା ଆହୁରି ମଧ୍ୟ କହିଛନ୍ତି କି, ଅନେକ ଦିନ ହେବ କୋଟିଆ ସମସ୍ୟା ଚିଲିଛି । ଓଡିଶା ମାଟିରେ ପଶି ଆନ୍ଧ୍ର ତାର ମନମାନି ଚଲାଇଛି । ଆମ ଅଧିକାରୀଙ୍କୁ ଆନ୍ଧ୍ର ପ୍ରଶାସନ ବାରମ୍ବାର ଧମକ ଦେଉଛି । କୋଟିଆରେ ଆନ୍ଧ୍ର ଅଧିକାରୀ ଅଧିକ ସକ୍ରିୟ ହୋଇଛନ୍ତି । ତେଣୁ ଏହାକୁ ଗୁରୁତ୍ୱର ସହ ନେଇ ଆଲୋଚନା କରିବା ଜରୁରୀ ହୋଇପଡିଛି । ଦୟାକରି ମୁଖ୍ୟମନ୍ତ୍ରୀ ସଚେତନ ହୁଅନ୍ତୁ । ଆଗ ମାଟି ମାଆକୁ ଗୁରୁତ୍ୱ ଦିଅନ୍ତୁ । ମୁଖ୍ୟମନ୍ତ୍ରୀ ଜାଣିବା ଦରକାର ଆଗ ମାଟି ଏହା ପରେ ପାର୍ଟି ।