କନକ ବ୍ୟୁରୋ: ରାଜଧାନୀ ଛାତି ଉପରେ ୪ ନାବାଳିକା ଗର୍ଭବତୀ ହେବା ଘଟଣା ପରଠାରୁ ରାଜ୍ୟ ସରକାରଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି । କାରଣ ଏହି ଘଟଣାର କଡ଼ା ପ୍ରତିବାଦ କରି ଏବେ ସରକାରଙ୍କୁ ଘେରିବାରେ ଲାଗିଛନ୍ତି ବିରୋଧୀ । ଏନେଇ ରାଜ୍ୟ ବିଧାନସଭାରେ ପ୍ରତିବାଦ କରିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ଏପରିକି ରାଜ୍ୟରେ ପ୍ରତି ଦିନ କେତେ ଦୁଷ୍କର୍ମ ହେଉଛି ଆଉ କେତେଜଣ ଦୁଷ୍କର୍ମକାରୀ ଅଭିଯୁକ୍ତ ଦଣ୍ଡିତ ହେଉଛନ୍ତି ତାହାର କଡ଼ାଗଣ୍ଡା ହିସାବ ଦେଇଛନ୍ତି ତାରା ବାହିନୀପତି ।
ତାରା କହିଛନ୍ତି କି, ଓଡ଼ିଶାରେ ପ୍ରତିଦିନ ୭ଟି ଦୁଷ୍କର୍ମ ହେଉଛି । ଆଉ ସବୁଠାରୁ ଦୁଃଖର ବିଷୟ ହେଲା କି, ଏହି ଦୁଷ୍କର୍ମକାରୀଙ୍କ ମଧ୍ୟରୁ ବର୍ଷକୁ ମାତ୍ର ଜଣେ ଦୋଷୀଙ୍କୁ ଦଣ୍ଡ ମିଳୁଛି । ଯେଉଁଥି ପାଇଁ ରାଜ୍ୟରେ ଏଭଳି ଦୁଷ୍କର୍ମକାରୀମାନେ ଭୟଭୀତ ହେଉନାହାନ୍ତି ବରଂ ଅଧିକମାତ୍ରାରେ ଦୁଷ୍କର୍ମ କରି ଚାଲିଛନ୍ତି । ଆଉ ବିଶେଷ କରି ନାବାଳିକାମାନେ ଓଡ଼ିଶାରେ ବିଜେଡି ସରକାରରେ ଅସୁରକ୍ଷିତ ଅଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମା’ମାନଙ୍କୁ ସମ୍ମାନ ଆଉ ଏସଏଚଜି ମହିଳାଙ୍କୁ ନିଯୁକ୍ତି ବାରମ୍ବାର ସ୍ଲୋଗାନ ଦେଉଛନ୍ତି, କିନ୍ତୁ ଯେଉଁ ରାଜ୍ୟରେ ନାବାଳିକାମାନେ ଅସୁରକ୍ଷିତ ସେଠି ଏଭଳି ସ୍ଲୋଗାନ୍ କେବଳ ପ୍ରହସନ ।
ଖୋଦ୍ ରାଜଧାନୀର ଛାତ୍ରୀନିବାସରେ ୪ ଜଣ ନାବାଳିକା ଗର୍ଭବତୀ ହେବା ନବୀନ ସରକାରଙ୍କ ଶାସନ କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛି । କେବଳ ରାଜଧାନୀ ନୁହେଁ ରାଜ୍ୟର ନବରଙ୍ଗପୁର, କନ୍ଧମାଳ, ମାଲକାନଗିରି ଏବଂ କୋରାପୁଟ ଭଳି ବିଭିନ୍ନ ଜିଲ୍ଲାରେ ଶହ ଶହ ନାବାଳିକା ଦୁଷ୍ମର୍କର ଶିକାର ହେଉଛନ୍ତି ଆଉ ଗର୍ଭବତୀ ହେଉଛନ୍ତି । ଏହା କ’ଣ ରାଜ୍ୟ ସରକାରଙ୍କ ମହିଳାଙ୍କୁ ସମ୍ମାନ ବୋଲି ପ୍ରଶ୍ନ କରିଛନ୍ତି ତାରା? ତେଣୁ ଏଭଳି ଜଘନ୍ୟ କାଣ୍ଡ ଭିଆଉଥିବା ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ବିଧାନସଭାରେ ଦାବି କରି ବାଚସ୍ପତିଙ୍କୁ ଅବଗତ କରାଇଛି କଂଗ୍ରେସ ବୋଲି କହିଛନ୍ତି ତାରାପ୍ରସାଦ ବାହିନୀପତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/TARA-1.jpg)