ଦିଲ୍ଲୀ ଗଣ ଦୁଷ୍କର୍ମ ଓ ହତ୍ୟା ମାମଲା : ପୀଡିତାଙ୍କ ପରିବାରକୁ ଭେଟି ନ୍ୟାୟ ପାଇବା ଯାଏଁ ସାଥୀରେ ରହିବାକୁ ପରିଜନଙ୍କୁ ଆଶ୍ୱାସନା ଦେଲେ ରାହୁଲ ଗାନ୍ଧୀ

119

କନକ ବ୍ୟୁରୋ : ଦିଲ୍ଲୀ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୀଡିତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଭେଟ ପରେ ଗଣମାଧ୍ୟମକୁ ରାହୁଲ ଗାନ୍ଧୀ କହିଛନ୍ତି କି ଏଭଳି ମାମଲାରେ କେବଳ ନ୍ୟାୟ ଦରକାର । ନ୍ୟାୟ ପାଇବା ପାଇଁ ପରିଜନଙ୍କୁ ସହାୟତା ହାତ ବଢାଇବାକୁ ବି ପ୍ରତିଶ୍ରୁତି ଦେଇଛନ୍ତି ଏହି କଂଗ୍ରେସ ନେତା ।

କହିରଖୁ କି ଦିଲ୍ଲୀର କେଣ୍ଟ ଅଞ୍ଚଳରେ ଜଣେ ୯ ବର୍ଷର ନାବାଳିକାକୁ କିଛି ପଶୁ ପ୍ରବୃତ୍ତିର ଲୋକ ଦୁଷ୍କର୍ମ କରିବା ପରେ ଅମାନୁଷିକ ଭାବେ ହତ୍ୟା କରିଥିଲେ । ଏହାପରେ ପରିବାର ଲୋକଙ୍କ ସହ ଜୋର ଜବରଦସ୍ତ କରି ଅଭିଯୁକ୍ତମାନେ ନାବାଳିକାର ଶବକୁ ବି ସଂସ୍କାର କରିଦେଇଥିଲେ । ଏନେଇ ଏବେ ବିରୋଧୀମାନେ ଦିଲ୍ଲୀ ସରକାରଙ୍କୁ ଘେରିଥିବା ବେଳେ ପୀଡିତାଙ୍କ ପରିବାରକୁ ରାହୁଲ ଗାନ୍ଧୀ ଭେଟି ବିରୋଧ ଯଜ୍ଞରେ ଘିଅ ଢାଳିଛନ୍ତି ।

ଅନ୍ୟପଟେ ଦିଲ୍ଲୀର ଆଇନ ଶୃଙ୍ଖଳା ପରିସ୍ଥିତି କେନ୍ଦ୍ର ଗୃହମନ୍ତ୍ରଣାଳୟ ପାଖରେ ଥିବାରୁ ରାହୁଲ ଗାନ୍ଧୀ ଏଭଳି ମାମଲାରେ ସିଧା କେନ୍ଦ୍ର ସରକାରଙ୍କ ବିଫଳତାକୁ ଦାୟୀ କରିଛନ୍ତି । ଏହାସହ ଏହି ମାମଲାକୁ ମଧ୍ୟ ଅନ୍ୟ ବିରୋଧୀଦଳ ନେତାମାନେ ନିନ୍ଦା କରିଛନ୍ତି । ସ୍ଥାନୀୟ ଲୋକମାନେ ପୋଲିସର କାର୍ଯ୍ୟାନୁଷ୍ଠାନରେ ଅବହେଳାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ସେପଟେ ଯଦି ଘଟଣାର ଗୁରୁତ୍ୱକୁ ନେଇ ଆଲୋଚନା କରାଯାଏ ତେବେ ଘଟଣା ସଂଗୀନ । ଏତେ ବଡ ଘଟଣାରେ ଏପର୍ଯ୍ୟନ୍ତ ପୋଲିସ ଜଣେମାତ୍ର ମନ୍ଦିର ପୂଜାରୀଙ୍କୁ ଗିରଫ୍ କରି ହାତବାନ୍ଧି ବସିଛି । ଦକ୍ଷିଣ ଦିଲ୍ଲୀ ଡିସିପି ଇଙ୍ଗିତ ପ୍ରତାପ କହିଛନ୍ତି କି ନାବାଳିକାର ଶବ ସଂସ୍କାର ବେଳେ କେବଳ ଗୋଟିଏ ପିସିଆର କଲ ଆସିଥିଲା । ଏତେବଡ ସଂଗୀନ ମାମଲାରେ ଜଣେ ଡିସିପିଙ୍କ ଏଭଳି ବୟାନ ଆଇନ ଶୃଙ୍ଖଳା ବିଭାଗର ପାରିବା ପଣିଆକୁ ପଦାରେ ପକାଇଛି ।