ସଂସଦରେ ମୃତ ଚାଷୀଙ୍କ ଚିଠା ଦେଖାଇଲେ ରାହୁଲ ଗାନ୍ଧୀ, ମୋଦୀ ସରକାରଙ୍କୁ ଦେଲେ ଏଭଳି ଉପଦେଶ

151

କନକ ବ୍ୟୁରୋ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଦିନ ଲୋକସଭାରେ କୃଷକ ଆନ୍ଦୋଳନ କ୍ରମରେ ପ୍ରାଣ ହରାଇଥିବା କୃଷକଙ୍କ ପରିବାରକୁ ସରକାର ସହାୟତା ପ୍ରଦାନ କରନ୍ତୁ ବୋଲି ଦାବି କରିଛନ୍ତି । ରାହୁଲ ଗାନ୍ଧୀ କହିଥିଲେ କି କୃଷକ ଆନ୍ଦୋଳନ କ୍ରମରେ ପ୍ରାଣ ହରାଇଥିବା କୃଷକଙ୍କ ଡାଟା ସରକାରଙ୍କ ପାଖରେ ନାହିଁ ବୋଲି କୃଷିମନ୍ତ୍ରୀ କହୁଛନ୍ତି । ହେଲେ ମୋ ପାଖରେ ସମ୍ପୂର୍ଣ୍ଣ ଡାଟା ରହିଛି । ପଞ୍ଜାବରୁ ୪୦୦ କୃଷକ ପ୍ରାଣ ହରାଇଛନ୍ତି , ହରିଆଣାରୁ ୭୦ ଜଣ ।

ପଞ୍ଜାବ ସରକାର ୪୦୦ କୃଷକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେଇଥିବା ବେଳେ ୧୫୨ ଜଣଙ୍କୁ ସରକାରୀ ଚାକିରୀ ଦେଇଛନ୍ତି । ଏନେଇ ରାହୁଲ ଗାନ୍ଧୀ ସଂସଦରେ ଏକ ଚିଠା ଦେଖାଇଛନ୍ତି । ସେ କହିଛନ୍ତି କି ଗୋଟିଏ ପଟେ ପ୍ରଧାନମନ୍ତ୍ରୀ କ୍ଷମା ମାଗୁଥିବା ବେଳେ ତାଙ୍କରି ମନ୍ତ୍ରୀମଣ୍ଡଳର ସଦସ୍ୟ କହୁଛନ୍ତି କୃଷକ ଆନ୍ଦୋଳନ କ୍ରମରେ ପ୍ରାଣ ହରାଇଥିବା କୃଷକଙ୍କ ଡାଟା ତାଙ୍କ ପାଖରେ ନାହିଁ , ଏହା ଲଜ୍ଜାଜନକ ବୋଲି ରାହୁଲ କହିବା ସହ ତୁରନ୍ତ ମୃତ କୃଷକଙ୍କ ପରିବାର ପାଇଁ କେନ୍ଦ୍ର ସରକାର ସହାୟତା ରାଶି ଘୋଷଣା କରନ୍ତୁ ବୋଲି ସେ ଦାବି କରିଛନ୍ତି ।

କହିରଖୁ କି ଗୋଟିଏ ବର୍ଷରୁ ଅଧିକ ସମୟ ହେବ କୃଷକମାନେ ଦିଲ୍ଲୀର ବିଭିନ୍ନ ସୀମାରେ କେନ୍ଦ୍ର ସରକାରଙ୍କୁ ବିରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି । ଏହି କ୍ରମରେ ବିଭିନ୍ନ ଘଟଣା କ୍ରମରେ ୭୦୦ ରୁ ଅଧିକ କୃଷକଙ୍କର ମୃତ୍ୟୁ ହୋଇଥିବା କୃଷକ ନେତା ରାକେଶ ଟିକାୟତ ବି ଗଣମାଧ୍ୟମକୁ କହିଛନ୍ତି । ଏସବୁ ଭିତରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ଆଇନକୁ ପ୍ରତ୍ୟାହାର କରାଯାଇଛି । ହେଲେ କୃଷକଙ୍କ ଅନ୍ୟ ଦାବି ଉପରେ ସରକାର ଏପର୍ଯ୍ୟନ୍ତ ବିଚାର କରି ନାହାଁନ୍ତି ।