ବିଜେପି, ଆରଏସଏସ ଲୋକ ହିନ୍ଦୁ ନୁହଁନ୍ତି । ସେମାନେ କେବଳ ହିନ୍ଦୁ ଧର୍ମର ବ୍ୟବହାର କରନ୍ତି: ରାହୁଲ ଗାନ୍ଧୀ

407

କନକ ବ୍ୟୁରୋ: ବିଜେପି, ଆରଏସଏସ୍ ଉପରେ ବର୍ଷିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ବୁଧବାର ଅଖିଳ ଭାରତୀୟ ମହିଳା କଂଗ୍ରେସର ସ୍ଥାପନ ଦିବସ ଅବସରରେ ନିଜର ବକ୍ତବ୍ୟ ରଖି ବିଜେପି ଓ ଆରଏସଏସକୁ ଟାର୍ଗେଟ କରିଛନ୍ତି ରାହୁଲ । ଏହି ଅବସରରେ ସେ କହିଛନ୍ତି, ବିଜେପି ଏବଂ ଆରଏସଏସର ଲୋକମାନେ ହିନ୍ଦୁ ନୁହଁନ୍ତି । ସେମାନେ କେବଳ ହିନ୍ଦୁମାନଙ୍କୁ ବ୍ୟବହାର କରୁଛନ୍ତି । ଯାହା ଫଳରେ ସମାଜରେ ଏକ ଭୟର ବାତାବରଣ ସୃଷ୍ଟି ହେଉଛି ।

ତା ସହିତ ରାହୁଲ ଗାନ୍ଧୀ ଆହୁରି ମଧ୍ୟ କହିଛନ୍ତି ଯେ, ଜିଏସଟି ଓ ବିମୁଦ୍ରୀକରଣ କରି ମୋଦୀ ସରକାର ଲକ୍ଷ୍ମୀଙ୍କ ଶକ୍ତି ଓ ଦୁର୍ଗାଙ୍କ ଶକ୍ତିକୁ ଆକ୍ରମଣ କରିଛି । ଯେଉଁମାନେ ନିଜକୁ ହିନ୍ଦୁ ବୋଲି କହୁଛନ୍ତି, ସେମାନେ ହେଉଛନ୍ତି ମିଛ ହିନ୍ଦୁ । ଅନ୍ୟପଟେ ବିଜେପି ଓ ଆରଏସଏସର ଲୋକମାନେ ମହିଳାମାନଙ୍କୁ ଭୟଭୀତ କରି ରଖିଛନ୍ତି ବୋଲି ରାହୁଲ କହିଛନ୍ତି ।

ଯଦି ଗତ ଶହେ ବର୍ଷ ଭିତରେ କୌଣସି ବ୍ୟକ୍ତି ହିନ୍ଦୁ ଧର୍ମକୁ ଠିକ୍ ଭାବେ ବୁଝିଛନ୍ତି ସେ ହେଉଛନ୍ତି ମହାତ୍ମା ଗାନ୍ଧୀ । ଏ କଥାକୁ ବିଜେପି ଓ ଆରଏସଏସର  ଲୋକମାନେ ମଧ୍ୟ ଗ୍ରହଣ କରିଥାନ୍ତି । ମହାତ୍ମା ଗାନ୍ଧୀ ଅହିଂସାକୁ ନେଇ ବଞ୍ଚୁଥିଲେ । ଆଉ ହିନ୍ଦୁ ଧର୍ମର ମୂଳଦୁଆ ହେଉଛି ଅହିଂସା ବୋଲି ରାହୁଲ କହିଛନ୍ତି । ଆରଏସଏସ ଓ ବିଜେପି ନେତାଙ୍କ ବିଚାରଧାରା ସହିତ କଂଗ୍ରେସ କଦାପି ସାଲିସ୍ କରିବ ନାହିଁ । ସେମାନଙ୍କର ବିଚାରଧାରା ଏବଂ କଂଗ୍ରେସର ବିଚାରଧାରା ଅଲଗା ଅଲଗା ଅଟେ । କଂଗ୍ରେସ ଗାନ୍ଧୀଙ୍କ ବିଚାରଧାରାକୁ ସବୁବେଳେ ସମ୍ମାନ ଦିଏ ବୋଲି ରାହୁଲ କହିଛନ୍ତି ।