ଉତ୍ତର ପ୍ରଦେଶ ଗଣଦୁଷ୍କର୍ମ ମାମଲା: ପୀଡ଼ିତାଙ୍କ ପରିବାରକୁ ଭେଟିବା ପାଇଁ ହାଥରସରେ ପହଂଚିବା ପୂର୍ବରୁ ରାହୁଲ-ପ୍ରିୟଙ୍କାଙ୍କୁ ଅଟକାଇଲା ପୁଲିସ । ଚାଲି ଚାଲି ପୀଡିତାଙ୍କ ଘର ଆଡକୁ ବଢୁଥିବାବେଳେ ଅଧାବାଟରୁ ରାହୁଲଙ୍କୁ ଉଠାଇନେଲା ପୋଲିସ୍ ।

368

କନକ ବ୍ୟୁରୋ: ଉତର ପ୍ରଦେଶ ହାଥରସ ଗଣ ଦୁଷ୍କର୍ମ ମାମଲାରେ ପିଡ଼ିତା ଯୁବତୀଙ୍କୁ ନ୍ୟାୟ ଦାବିରେ ସାରା ଦେଶରେ ଜଳୁଛି ବିଦ୍ରୋହର ନିଆଁ । ଯୋଗୀ ସରକାରଙ୍କ ଇସ୍ତଫା ଦାବି କରିବା ସହ ପିଡ଼ିତାଙ୍କୁ ନ୍ୟାୟ ପାଇଁ ଦାବି କରିଛି କଂଗ୍ରେସ । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଆଜି ପୀଡ଼ିତାଙ୍କ ପରିବାରକୁ ଭେଟିବା ପାଇଁ ପହଂଚିଛନ୍ତି । ପ୍ରିୟଙ୍କାଙ୍କ ସହ ରାହୁଲ ଗାନ୍ଧୀ ମଧ୍ୟ ହାଥରସରେ ପହଂଚିଛନ୍ତି । କଂଗ୍ରେସ ନେତା ପୀଡିତାଙ୍କ ଘରକୁ ଯିବା ଆଗରୁ ସେମାନଙ୍କୁ ପୁଲିସ ଅଟକାଇ ଦେଇଛି । ଏପରିକି ଅଧାବାଟରୁ ରାହୁଲ ଗାନ୍ଧୀଙ୍କୁ ପୋଲିସ୍ ଉଠାଇ ନେଇଥିବା ସୂଚନା ମିଳିଛି । ତେବେ ପୂର୍ବରୁ ପ୍ରିୟଙ୍କା ଏବଂ ରାହୁଲଙ୍କ ଗସ୍ତ ଦିଲ୍ଲୀ-ନୋଏଡ଼ା ରାସ୍ତାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ଏହାସହ ହାଥରସ ସୀମା ସିଲ କରାଯାଇ ୧୪୪ଧାରା ଜାରି କରାଯାଇଛି ।

ଏହା ପୂର୍ବରୁ ପ୍ରିୟଙ୍କା ଗାନ୍ଧୀ ପୀଡ଼ିତାଙ୍କ ପରିବାର ସହ ଫୋନରେ ଆଲୋଚନା କରିଥିଲେ । ପୂର୍ବରୁ ପ୍ରିୟଙ୍କା ଗାନ୍ଧୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଇସ୍ତଫା ଦାବି କରିଥିଲେ । ହାଥରସ ଗଣ ଦୁଷ୍କର୍ମ ଘଟଣାରେ ସାରା ଦେଶ ନ୍ୟାୟ ମାଗୁଛି । ଏହାରି ମଧ୍ୟରେ ପୀଡ଼ିତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି । ରିପୋର୍ଟ ମୁତାବିକ ପୀଡ଼ିତାଙ୍କ ବେକରେ ଆଘାତ ଲାଗିଛି । ଏହାସହ ତାଙ୍କର ମେରୁଦଣ୍ଡ ହାଡ଼ ମଧ୍ୟ ଭାଙ୍ଗିଛି ।

ସେପଟେ ପୀଡ଼ିତାଙ୍କ ପରିବାରକୁ ସୁରକ୍ଷା ଯୋଗାଇବା ପାଇଁ ନିୟୋଯିତ ହୋଇଥିବା ୩ଜଣ ପୋଲିସ କର୍ମୀଙ୍କର କରୋନା ପଜିଟିଭ ମିଳିଛି । ତେଣୁ ଏବେ ପୁରା ଗାଁକୁ କଂଟେନମେଂଟ ଜୋନ ଘୋଷଣା କରାଯାଇପାରେ । ଗାଁ ଠାରୁ ଦେଢ କିଲୋମିଟର ପର୍ଯ୍ୟନ୍ତ ମିଡ଼ିଆ କର୍ମୀଙ୍କୁ ପ୍ରବେଶ ମନା ହୋଇଛି । ଏହାରି ମଧ୍ୟରେ ଉତର ପ୍ରଦେଶ ସରକାର ଘଟଣାର ତଦନ୍ତ ପାଇଁ ଏସଆଇଟି ଟିମ୍ ଗଠନ କରିଛନ୍ତି । ଗୃହ ସଚିବ ଭଗବାନ ସ୍ୱରୁପଙ୍କ ତତ୍ୱବଧାନରେ ଏସଆଇଟି ଟିମ୍ ପିଡ଼ିତାଙ୍କ ପରିବାର ଲୋକଙ୍କ ସହ ସାକ୍ଷାତ କରିଛନ୍ତି । ୭ଦିନ ଭିତରେ ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।