କନକ ବ୍ୟୁରୋ : ହିମାଚଳ ପ୍ରଦେଶ ପାଇଁ ନିର୍ବାଚନ ତାରିଖ ଘୋଷଣା ହେଉ ହେଉ ଏବେ ରାଜନୈତିକ ଦଳମାନେ ପ୍ରତିଶ୍ରୁତି ଦେବା ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ଆଜି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ହିମାଚଳ ପ୍ରଦେଶରେ ଏକ ଜନସଭାକୁ ଉଦବୋଧନ ଦେବା ଅବସରରେ ଅନେକ ଗୁଡିଏ ପ୍ରତିଶ୍ରୁତି ଦେଇଛନ୍ତି । ପ୍ରିୟଙ୍କା ଗାନ୍ଧୀ କହିଛନ୍ତି କି ଆଗାମୀ ନିର୍ବାଚନରେ ଯଦି ହିମାଚଳରେ କଂଗ୍ରେସ ସରକାର ଗଠନ କରେ ତେବେ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ରାଜ୍ୟର ବେକାର ଯୁବକ ଯୁବତୀମାନଙ୍କୁ ୧ ଲକ୍ଷ ସରକାରୀ ଚାକିରି ପ୍ରଦାନ କରାଯିବ । କେବଳ ସେତିକି ନୁହେଁ କଂଗ୍ରେସ ସରକାରକୁ ଆସିଲେ ରାଜ୍ୟରେ ପୁରୁଣା ପେନସନ ଯୋଜନା ଲାଗୁ କରାଯିବ ବୋଲି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ।
ହିମାଚଳ ପ୍ରଦେଶର ସୋଲନ ଠାରେ ଆୟୋଜିତ ଏକ ସଭାରେ ପ୍ରିୟଙ୍କା କହିଛନ୍ତି କି ମୋଟ ୫ ଲକ୍ଷ ଲୋକଙ୍କ ପାଇଁ ରୋଜଗାରର ଅବସର ସୃଷ୍ଟି କରାଯିବ । ଏଥିମଧ୍ୟରେ ୧ ଲକ୍ଷ ଲୋକଙ୍କୁ ସରକାରୀ ଚାକିରି ମିଳିବ ।
ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେବା ପରେ ବିଜେପି ଉପରେ ବର୍ଷିଛନ୍ତି ପ୍ରିୟଙ୍କା । କହିଛନ୍ତି କି, ଗୋଟିଏ ପଟେ ପେନସନ ଦାବି କରି କର୍ମଚାରୀମାନେ ଧାରଣାରେ ବସିଛନ୍ତି ସେପଟେ ବିଜେପି ସରକାର ପେନସନ ବ୍ୟବସ୍ଥାକୁ ରଦ୍ଦ କରୁଛି । ପେନସନ ଦେବାକୁ ସରକାରଙ୍କ ପାଖରେ ଟଙ୍କା ନାହିଁ ହେଲେ ଉଦ୍ୟୋଗପତିଙ୍କୁ ଋଣ ଛାଡ କରାଯାଉଛି ବୋଲି ପ୍ରିୟଙ୍କା କହିଛନ୍ତି ।
କହିରଖୁ କି ହିମାଚଳ ପ୍ରଦେଶ ବିଧାନସଭା ପାଇଁ ଆଜି ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ନଭେମ୍ବର ୧୨ ତାରିଖରେ ଭୋଟ ଗ୍ରହଣ ହେବ ଓ ଡିସେମ୍ବର ୮ ତାରିଖରେ ଭୋଟ ଗଣତି ହେବ ।
Follow Us