କଂଗ୍ରେସ ଟିକେଟ୍ ପାଇଁ କାମ କରିବ ନାହିଁ ନେତାଙ୍କ ଲବି । ଅନଲାଇନ୍ ଆବେଦନ କରିବେ ଆଶାୟୀ, ଟିକେଟ୍ ବଂଟନରେ ସ୍ୱଚ୍ଛତା ପାଇଁ ଏଆଇସିସି ସ୍କ୍ରିନିଂ କମିଟିର ନିଷ୍ପତ୍ତି

113

କନକ ବ୍ୟୁରୋ : କଂଗ୍ରେସ ଟିକେଟ୍ ପାଇଁ କାମ କରିବ ନାହିଁ ନେତାଙ୍କ ଲବି । ନେତାଙ୍କ ଚାରିପାଖେ ବୁଲି କିମ୍ବା ଲବି କରି ଟିକେଟ ଆଶା ରଖିଲେ ମିଳିନପାରେ କଂଗ୍ରେସ ଟିକେଟ । କାରଣ ଟିକେଟ ବଂଟନରେ ସ୍ୱଛତା ଆଣିବା ପାଇଁ ଏଆଇସିସି ସ୍କ୍ରିନିଂ କମିଟି କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛିି । ଖୁବଶୀଘ୍ର ଟିକେଟ୍ ପାଇଁ ଆବେଦନ କରିବାକୁ କଂଗ୍ରେସ ସ୍ୱତନ୍ତ୍ର ଲିଙ୍କ ସାର୍ବଜନୀନ କରିବ । ଆଶାୟୀ ପ୍ରାର୍ଥୀମାନେ ସେହି ଲିଙ୍କରେ ଆବେଦନ କରିବେ । ନିଜର ସମସ୍ତ ଉପଲବ୍ଧି ଓ ସଂଗଠନର କାର୍ଯ୍ୟ ବିଷୟରେ ସେହି ଲିଙ୍କରେ ତଥ୍ୟ ଦେବେ ଆବେଦନକାରୀ । ଆଶାୟୀଙ୍କୁ ନେଇ କଂଗ୍ରେସର ସର୍ଭେ ଟିମ୍ ରିପୋର୍ଟ ଦେବ ।

ନିର୍ବାଚନ ପୂର୍ବରୁ ଫେବ୍ରୁଆରୀ ଶେଷ ସପ୍ତାହ ସୁଦ୍ଧା କଂଗ୍ରେସ ଆଗୁଆ ପ୍ରାର୍ଥୀ ଘୋଷଣା କରିପାରେ ବୋଲି ସୂଚନା ମିଳିଛି । ସେଥିପାଇଁ ଦିଲ୍ଲୀରୁ ଏଆଇସିସି ସ୍କ୍ରିନିଂ କମିଟିର ଅଧ୍ୟକ୍ଷ ମଧୁସୂଧନ ମିସ୍ତ୍ରୀ, ତାଙ୍କ ଟିମ୍ ପିସିସି ପ୍ରଭାରୀ ଓ ରାଜ୍ୟ ନେତୃତ୍ୱଙ୍କ ସହ ବୈଠକ କରିଛନ୍ତି । ଆଗୁଆ ଟିକେଟ୍ ବାଂଟିବା ପାଇଁ ଆଜି ରାଜ୍ୟ ଅତିଥି ଭବନରେ ଏକ ରୁଦ୍ଧଦ୍ୱାର ବୈଠକ ବସିଥିଲା । ନିଷ୍ପତି ଅନୁସାରେ, ଗୋଟିଏ ଆସନରେ ଏକାଧିକ ଆଶାୟୀ ଥିଲେ ଯୋଗ୍ୟ ପ୍ରାର୍ଥୀଙ୍କୁ ନେଇ ତର୍ଜମା କରିବ ପ୍ରଦେଶ ଇଲେକ୍ସନ୍ କମିଟି । ଏହାପରେ ପ୍ରାର୍ଥୀଙ୍କ ତାଲିକାକୁ ସ୍କ୍ରିନିଂ କମିଟିକୁ ପଠାଯିବ । ସ୍କ୍ରିନିଂ କମିଟିର ଅନୁମୋଦନ ପରେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଟିକେଟ୍ ଦିଆଯିବ ।

ଏସବୁ ଭିତରେ କଂଗ୍ରେସର ପୋଷ୍ଟର ବୟ ରାହୁଲ ଗାନ୍ଧୀ ଦୀର୍ଘ ଦିନ ପରେ, ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଓଡିଶା ଆସୁଛନ୍ତି । ୬ତାରିଖ ସନ୍ଧ୍ୟାରେ ସୁନ୍ଦରଗଡ ବୀରମିତ୍ରପୁରରେ ତାଙ୍କୁ ଭବ୍ୟ ସ୍ୱାଗତ ଦେବାକୁ ରାଜ୍ୟ କଂଗ୍ରେସ ପକ୍ଷରୁ ରାଉରକେଲା, ସୁନ୍ଦରଗଡ ଓ ଝାରସୁଗୁଡରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆଉ ରାହୁଲଙ୍କ ଗସ୍ତକୁ ନେଇ ବେଶ ଉତ୍ସାହିତ କଂଗ୍ରେସ ଶିବିର ।