ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ । କହିଲେ ପଶ୍ଚିମ ଓଡ଼ିଶା ଢାଞ୍ଚାରେ ହେଉ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ 

195

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ । ପଶ୍ଚିମ ଓଡିଶା ବିକାଶ ଢାଞ୍ଚାରେ ଉତ୍ତର ଓଡିଶାର ବିକାଶ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଜରିଆରେ ପ୍ରସ୍ତାବ ଦେଇଛନ୍ତି । ପଶ୍ଚିମ ଓଡିଶାରେ ଥିବା ଜିଲ୍ଲାଗୁଡିକର ବିକାଶ ପାଇଁ ରାଜ୍ୟ ସରକାର ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନ କରିଛନ୍ତି । ଏହି ଢାଞ୍ଚାରେ ଉତ୍ତର ଓଡିଶାରେ ଅବସ୍ଥିତ ଭଦ୍ରକ, ବାଲେଶ୍ୱର, ମୟୁରଭଂଜ ଓ କେନ୍ଦୁଝର ଜିଲ୍ଲାଗୁଡିକର ଆର୍ଥିକ ବିକାଶ ପାଇଁ ଉତ୍ତର ଓଡିଶା ବିକାଶ ପରିଷଦ ଗଠନ କରାଯାଉ ବୋଲି ଚିଠିରେ ପ୍ରସ୍ତାବ ଦେଇଛନ୍ତି ନବଜ୍ୟୋତି । ଏଥିସହ ବାଲେଶ୍ୱରକୁ ମହାନଗର ନିଗମ ମାନ୍ୟତା କେବେ ମିଳିବ ବୋଲି ପ୍ରଶ୍ନ କରିଛନ୍ତି ନବଜ୍ୟୋତି ପଟ୍ଟନାୟକ । ଉତ୍ତର ଓଡିଶାରେ ରାଜ୍ୟର ପ୍ରାୟ ୧ କୋଟି ଲୋକ ବସବାସ କରୁଛନ୍ତି । ଏଥିରେ ଆସୁଥିବା ୪ଟି ଜିଲ୍ଲା ଖଣି ଖାଦାନରେ ପରିପୂର୍ଣ୍ଣ । ରାଜ୍ୟର ଅନ୍ୟ ଅଞ୍ଚଳ ଅପେକ୍ଷା ରାଜକୋଷକୁ ଉତ୍ତର ଓଡିଶାର ଯୋଗଦାନ ଅଧିକ । ତଥାପି ବିକାଶ କ୍ଷେତ୍ରରେ ଏହି ଅଞ୍ଚଳ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାପା ଉପେକ୍ଷିତ । ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନ ହେବା ପରଠାରୁ ଏ ପର୍ଯ୍ୟନ୍ତ ସେଠାରେ ୨୫୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ନିର୍ମାଣ ହୋଇଛି । ଯାହାର ସୁବିଧା ପଶ୍ଚିମ ଓଡିଶାବାସୀ ପାଉଛନ୍ତି । ଉତ୍ତର ଓଡିଶା ବିକାଶ ପରିଷଦ ଗଠନ କରାଗଲେ ପଛୁଆ ଅଞ୍ଚଳକୁ ଫୋକସ୍ କରାଯାଇ ପାରିବ ଓ ସ୍ଥାନୀୟ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇ ପାରିବ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ।