ନାରୀ ନିର୍ଯାତନା ରୋକିବାକୁ ନରସିଂହଙ୍କ ନୂଆ ମଡେଲ: ଗୃହରେ କହିଲେ, ଗୃହ କମିଟି ଗଠନ ହେଉ, ‘ଥ୍ରୀ-ପି’କୁ ଗୁରୁତ୍ୱ ଦିଆଯାଉ ।

139

କନକ ବ୍ୟୁରୋ: ନାରୀ ନିର୍ଯାତନା ଓ ଦୁଷ୍କର୍ମ ଘଟଣାକୁ ହ୍ରାସ କରିବାକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହଙ୍କ ନୂଆ ମଡେଲ । ରାଜ୍ୟରେ ଲାଗୁ ହେଉ ‘ଥ୍ରୀ-ପି’ ଅର୍ଥାତ୍ ପ୍ରିଭେନସନ୍, ପ୍ରୋସିକ୍ୟୁସନ ଓ ପନିସମେଣ୍ଟ ମଡେଲ । ଏଭଳି କିଛି ପ୍ରସ୍ତାବ ବିଧାନସଭାରେ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ନରସିଂହ କହିଛନ୍ତି କି, ରାଜ୍ୟରେ ନାରୀ ନିର୍ଯାତନାର ବିଭିନ୍ନ ମାମଲାରେ ଦଣ୍ଡ ବିଧାନ ହାର ମାତ୍ର ୬.୧ ପ୍ରତିଶତ । ଯାହାକି ଚିନ୍ତାଜନକ ବିଷୟ ଏବଂ ଏହା ହିଁ ଅଭିଯୁକ୍ତଙ୍କୁ ଅଧିକ ପ୍ରୋତ୍ସାହିତ କରୁଛି ବୋଲି କ୍ଷୋଭର ସହ ଗୃହରେ ବିବୃତି ରଖିଛନ୍ତି ନରସିଂହ ।

ଅନ୍ୟପଟେ ରାଜ୍ୟରେ ନାରୀ ସୁରକ୍ଷା ନେଇ ତୁରନ୍ତ ଗୃହ କମିଟି ଗଠନ କରାଯାଉ । ଏବଂ ଏହି କମିଟିରେ ରାଜନୈତିକ ନିଯୁକ୍ତି ବଦଳରେ ଅନୁଭବୀଙ୍କ ସ୍ଥାୟୀ କ୍ୟାଡରଭିତ୍ତିକ ପବ୍ଲିକ ପ୍ରୋସିକ୍ୟୁଟର ନିଯୁକ୍ତି ଦିଆଯାଉ । ଆଉ ବିଭିନ୍ନ ନାରୀ ନିର୍ଯାତନା ମାମଲାରେ ଯେଉଁମାନେ ଅଭିଯୁକ୍ତଙ୍କୁ ଦଣ୍ଡ ଦେବାରେ ଉଚିତ୍ ସାକ୍ଷ୍ୟ ପ୍ରମାଣ ଦେବେ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉ । ଆଉ ଗୃହ କମିଟି ଗଠନ କରି ନାରୀ ନିର୍ଯାତନା ଏବଂ ଦୁଷ୍କର୍ମ ଘଟଣାକୁ ହ୍ରାସ କରିବା ପାଇଁ କମିଟି ତା ଉପରେ ଗୁରୁତ୍ୱ ଦେଉ ବୋଲି କହିଛନ୍ତି ନରସିଂହ ମିଶ୍ର ।

ଅନ୍ୟପଟେ ପୂର୍ବରୁ ମଧ୍ୟ ଗତ ସୋମବାର ଦିନ ଏହି ପ୍ରସଙ୍ଗରେ ବିଧାନସଭାକୁ ଅଚଳ କରିଥିଲେ ବିଜେପି ଓ କଂଗ୍ରେସ । ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ରାଜ୍ୟ ସରକାର ବାହାନା କରି ଖସିଯିବାକୁ ବସିଛନ୍ତି ବୋଲି ଅଭିଯୋଗ ମଧ୍ୟ କରିଛି କଂଗ୍ରେସ । କାରଣ ନିକଟରେ ନିର୍ବାଚନ ସରିଥିବାରୁ ୫ ବର୍ଷ ଯାଏଁ ସରକାରକୁ କେହି ହଲାଇ ପାରିବେନି । ହେଲେ ଓଡ଼ିଶାବାସୀଙ୍କ ଇଜ୍ଜତ, ଧନଜୀବନର ସୁରକ୍ଷା ପାଇଁ ନବୀନ ସରକାରଙ୍କୁ ଅଲବତ୍ ଉତ୍ତର ଦାୟିତ୍ୱ ନେବାକୁ ପଡ଼ିବ ।