ନବ କରୁଛନ୍ତି କି ନୂଆ ସମୀକରଣ ? ରାଜ୍ୟ ରାଜନୀତିକୁ ତତାଉଛି ୩ ଫଟୋ

ଗତ ଏକମାସ ମଧ୍ୟରେ ନବଙ୍କର ଆସିଥିବା ଏହି ୩ଟି ଫଟୋକୁ ନେଇ ଏବେ କଂଗ୍ରେସ ଶିବିରରେ ମଧ୍ୟ ହଟଚମଟ ଦେଖା ଦେଇଥିବା ଚର୍ଚ୍ଚା ହେଉଛି ।

459

କନକ ବ୍ୟୁରୋ : ବିଜେଡିର ଦୁଇ ହେଭିୱେଟ ଉପକୂଳିଆ ନେତାଙ୍କ ସହ ପଶ୍ଚିମ ଓଡିଶାର ଟାଣୁଆ କଂଗ୍ରେସ ନେତା ତଥା ବିଧାୟକ ନବ ଦାସ ସିଟ୍ ସେୟାର କରିବା ପରେ ଏବେ ଉଷୁମ ହୋଇଛି ରାଜ୍ୟ ରାଜନୀତି । ଗତକାଲି କଟକରେ ଏକ କାର୍ଯ୍ୟକ୍ରମରେ ବିଜେଡିର ଦୁଇ ନେତାଙ୍କ ମଝିରେ ନବ ବସିଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଚର୍ଚ୍ଚା ହେଉଛି କାଳେ ଝାରସୁଗୁଡାର ଏହି ଟାଣୁଆ କଂଗ୍ରେସ ନେତା ଖୁବ ଶୀଘ୍ର ‘ହାତ’ର ହାତ ଛାଡି ଶଙ୍ଖ ଫୁଙ୍କିବାକୁ ସଜବାଜ ହେଉଛନ୍ତିି ।

ଚର୍ଚ୍ଚା ହେବନି ବା କେମତି? ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳର ଟାଣୁଆ ନେତା ଦଳ ଛାଡିବାର ଅନେକ ନଜିର ରହିଛି । ଗତ ନିର୍ବାଚନ ପୂର୍ବରୁ ବିରୋଧୀ ଦଳ ନେତା ଆସନରେ ବସିଥିବା ଭୁପିନ୍ଦର ସିଂ ହାତ ଛାଡି ଶଙ୍ଖ ଶିବିରରେ ଯୋଗ ଦେଇଥିଲେ । ଠିକ୍ ସେହିଭଳି ନବ ଦାସ କାଳେ ବିଜେଡି ଦଳରେ ସାମିଲ ହେବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳୁଛି । ଗତ କିଛି ଦିନ ମଧ୍ୟରେ ନବଙ୍କୁ ଅନେକ ଥର ବିଜେଡି ନେତାଙ୍କ ସହ ଦେଖିବାକୁ ମିଳିଛି । ଯାହା ଚର୍ଚ୍ଚାକୁ ଆଉ ଟିକେ ଖୋରାକ ଯୋଗାଇଛି ।

ଗତ କିଛି ମାସ ତଳେ ବିଜୁ ଏକ୍ସପ୍ରେସ ୱେ ଉଦଘାଟନ ସମାରୋହରେ ନବୀନଙ୍କୁ ପ୍ରଂଶସାରେ ପୋତି ପକାଇଥିଲେ ନବ ଦାସ । ଆଉ ଏହାପରେ ନବ ଖୁବଶୀଘ୍ର କଂଗ୍ରେସ ଛାଡିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା । ଆଉ ଏହାପରେ ପୁଣିଥରେ ଝାରସୁଗୁଡା ବିମାନ ବନ୍ଦର ଉଦଘାଟନ ସମୟରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନଙ୍କ ସହ କ୍ୟାମେରା ଲେନ୍ସରେ କଏଦ ହୋଇଥିଲେ କଂଗ୍ରେସ ବିଧାୟକ ନବ ଦାସ । ସାଙ୍ଗରେ ଥିଲେ ପୂରା ପରିବାର । ଏହି ଫଟୋ ଭାଇରାଲ ହେବା ପରେ ନବଙ୍କ ବିଜେଡିରେ ମିଶିବା ଚର୍ଚ୍ଚା ଆରମ୍ଭ ହୋଇଥିଲା ।

ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଥିଲା ନବୀନଙ୍କ ସହ ନବଙ୍କ ଦ୍ୱିତୀୟ ଥର ଭେଟଘାଟ । ଦ୍ୱିତୀୟ ଭେଟଘାଟରେ ଝାରସୁଗୁଡା ବିମାନବନ୍ଦରର ନାମ ପରିବର୍ତ୍ତନ କରିବାକୁ ନବୀନଙ୍କୁ ଭେଟିଥିଲେ ନବ । ଆଉ ଏହାର ପରେ ପରେ ବିମାନବନ୍ଦରର ନାମ ପରିବର୍ତ୍ତନ କରିବାକୁ ମୋଦିଙ୍କୁ ଚିଠି ଲେଖିଥିଲେ ନବୀନ । ଆଉ ଯାହାକୁ ସ୍ୱୀକୃତି ମଧ୍ୟ ଦେଇଥିଲେ ମୋଦି କ୍ୟାବିନେଟ । ବିଭିନ୍ନ ପ୍ରସଙ୍ଗ ନେଇ ନବୀନ ଓ ନବଙ୍କ ମଧ୍ୟରେ ବାରମ୍ବାର ଭେଟଘାଟ ହେଉଥିବା ବେଳେ ରାଜନୈତିକ ସମୀକ୍ଷକ ମାନେ ଏହାକୁ ଭିନ୍ନ ଦୃ୍ଷ୍ଟିରେ ଦେଖୁଛନ୍ତି ।

ଏସବୁ ଭିତରେ ରାଜ୍ୟସଭା ସାଂସଦ ପ୍ରତାପ ଦେବ ଓ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସହ ସିଟ୍ ସେୟାର କରିଛନ୍ତି ନବ । ଗତ ଏକମାସ ମଧ୍ୟରେ ନବଙ୍କର ଆସିଥିବା ଏହି ୩ଟି ଫଟୋକୁ ନେଇ ଏବେ କଂଗ୍ରେସ ଶିବିରରେ ମଧ୍ୟ ହଟଚମଟ ଦେଖା ଦେଇଥିବା ଚର୍ଚ୍ଚା ହେଉଛି । ନବ ଯଦି ନିର୍ବାଚନ ପୂର୍ବରୁ ଦଳକୁ ବାଏ ବାଏ କରନ୍ତି ତେବେ ଏହା ହାତ ଦଳକୁ ସବୁଠୁ ଅଧିକ କ୍ଷତିରେ ପହଞ୍ଚାଇପାରେ । କାରଣ କଂଗ୍ରେସର ଗଡ ଥିବା ପଶ୍ଚିମ ଓଡିଶାରେ ନବଙ୍କର ଲୋକପ୍ରିୟତା ଢେର ଅଧିକ । ତେଣୁ ଦଳ ତାଙ୍କୁ ହାତଛଡା କରିବାକୁ ଆଦୌ ଚାହୁଁନାହିଁ । ଖାସ ଏଥିପାଇଁ କଂଗ୍ରେସ ଟିମର ନବକଳେବର ହେବା ପରେ ନବ ଦାସଙ୍କୁ କାର୍ଯ୍ୟକାରୀ ସଭାପତି କରାଯାଇଥିଲା । କିନ୍ତୁ ନବ ବିଜେଡି ଶିବିର ଆଡକୁ ମୁହାଁଉଥିବା ଚର୍ଚ୍ଚା ହେଉଥିବା ବେଳେ ଏବେ ତାଙ୍କ ଉପରେ ରହିଛି ପିସିସିର ନଜର ।