ଆଜି ଟିଏମସିରେ ଯୋଗ ଦେବେ ଦୁଇ ବରିଷ୍ଠ କଂଗ୍ରେସ ନେତା , ଜାଣନ୍ତୁ କିଏ ?

200

କନକ ବ୍ୟୁରୋ : ଦିନକୁ ଦିନ ଅନ୍ୟ ବିରୋଧୀମାନଙ୍କ ମଜବୁତ କରିବାରେ ସହାୟକ ହେଉଛି କଂଗ୍ରେସ । ୨୦୧୪ ପରେ କଂଗ୍ରେସରୁ ଜଣଙ୍କ ପରେ ଜଣେ ବରିଷ୍ଠ ନେତା ବିଜେପି କିମ୍ବା ଅନ୍ୟ ଦଳରେ ସାମିଲ ହୋଇ କଂଗ୍ରେସକୁ ଦୁର୍ବଳ କରିବାରେ ଲାଗିଛନ୍ତି । ଏହି କ୍ରମରେ ଆଜି କଂଗ୍ରେସର ଦୁଇଜଣ ବରିଷ୍ଠ ନେତା ତୃଣମୂଳ କଂଗ୍ରେସରେ ସାମିଲ ହୋଇପାରନ୍ତି ବୋଲି ସୂତ୍ର ତରଫରୁ ସୂଚନା ମିଳିଛି ।

କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ କିର୍ତ୍ତୀ ଆଜାଦ ଓ ରାହୁଲ ଗାନ୍ଧୀଙ୍କ ନିକଟତର କୁହାଯାଉଥିବା ପୁର୍ବତନ ସାଂସଦ ଅଶୋକ ତନୱାର ଆଜି ଟିଏମସିରେ ଯୋଗଦେବେ । ଏନେଇ ଆଜି ଦିଲ୍ଲୀରେ ସେମାନେ ମମତାଙ୍କ ହାତ ଧରିବେ ବୋଲି କୁହାଯାଉଛି । କହିରଖୁ କି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି । ମମତା ବାନାର୍ଜୀ ସୋନିଆ ଗାନ୍ଧୀଙ୍କୁ ଭେଟ କରିବା ନେଇ ଆଲୋଚନା ହେଉଥିବା ବେଳେ ତା ପୂର୍ବରୁ କଂଗ୍ରେସକୁ ଏଭଳି ଝଟକା ଦେଇଛନ୍ତି ।

 

ଏହା ପୂର୍ବରୁ ଗୋଆରେ କିଛି କଂଗ୍ରେସ ନେତା ଟିଏମସିରେ ଯୋଗଦେବା ପରେ ଟିଏମସି ଓ କଂଗ୍ରେସ ମଧ୍ୟରେ ଯେଉଁ ସଂପର୍କ ଗଢିଉଠୁଥିଲା ତାହା ଭାଙ୍ଗିବା ଆରମ୍ଭ କରିଛି । ଆଜି ଟିଏମସିରେ ଯୋଗଦେବାକୁ ଥିବା କିର୍ତ୍ତୀ ଆଜାଦ ବିହାର କଂଗ୍ରେସର ଜଣେ ଆଗଧାଡିର ନେତାଭାବେ ପରିଚିତ । ଆଜାଦ ଟିଏମସିରେ ଯୋଗଦେଲେ ବିହାରରେ ଟିଏମସି ପାଇଁ ଏକ ବଡ ଚେହେରା ଭାବେ ଉଭାହେବେ । ସୂଚନା ଥାଉକି କିର୍ତ୍ତୀ ଆଜାଦଙ୍କ ପିତା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ । କିର୍ତ୍ତୀ ଜଣେ ଭଲ ଖେଳାଳୀ ଭାବେ ନିଜୟ କ୍ୟାରିଅର ଆରମ୍ଭ କରିଥିବା ବେଳେ ସେ ତାଙ୍କର ପ୍ରଥମ ରାଜନୈତିକ ଜୀବନ ବିଜେପିରୁ ଆରମ୍ଭ କରିଥିଲେ । ହେଲେ କୌଣସି କାରଣରୁ ଗତ ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ ।

ସେହିଭଳି ଅଶୋକ ତନୱାର ଜଣେ ଜାଟ ସଂପ୍ରଦାୟ ନେତା । ସେ ହରିଆଣା କଂଗ୍ରେସର ଜଣେ ଯୁବନେତା ଭାବେ ବେସ୍ ପରିଚିତ । ସେ ୨୦୧୪ ରେ ହିରିଆଣା କଂଗ୍ରେସର ରାଜ୍ୟ ସଭାପତି ପଦବି ସମ୍ଭାଳିଥିଲେ ।