କନକ ବ୍ୟୁରୋ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଲନାଥ ବିଜେପିକୁ ଯିବା ନେଇ ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ବିଜେପିରେ ସାମିଲ ହେଉନଥିବା କହିଛନ୍ତି କମଲନାଥ । ଏହି ସୂଚନା ଦେବା ପୂର୍ବରୁ ଦିଲ୍ଲୀରେ ନିଜର ଖାସ୍ ଅନୁଗତଙ୍କ ସହ ଆଲୋଚନା କରିଥିଲେ କମଲନାଥ । ବୈଠକ ପରେ ସଜ୍ଜନ କୁମାର ବର୍ମା କହିଛନ୍ତି, କମଲନାଥ ବିଜେପିରେ ସାମିଲ ହେବା ପ୍ରଶ୍ନ ସମ୍ପୂର୍ଣ୍ଣ ରୂପେ କାଳ୍ପନିକ ।

Advertisment

ଏହାପୂର୍ବରୁ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଭିତରେ କମଲନାଥ ଶନିବାର ଦିଲ୍ଲୀ ଯାଇଥିଲେ । ସେତେବେଳେ ବିଜେପିରେ ସାମିଲ ହେବା ପ୍ରଶ୍ନରେ କମଲନାଥ କହିଥିଲେ, ଆପଣମାନେ ବହୁତ ଉତ୍ସାହିତ ହେଉଛନ୍ତି । ଏଭଳି ଚର୍ଚ୍ଚା ଆପଣ କରୁଛନ୍ତି । ବିଜେପିରେ ସାମିଲ ହେବାକୁ ନିଷ୍ପତ୍ତି ନେଲେ ସର୍ବପ୍ରଥମେ ଗଣମାଧ୍ୟମକୁ ସୂଚନା ଦେବି ।

ଗତ କିଛି ଦିନ ହେବ କମଲନାଥ ଓ ତାଙ୍କ ପୁଅ ନକୁଲନାଥ କଂଗ୍ରେସ ଛାଡି ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଥିଲା । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ପୂର୍ବରୁ ଛିନ୍ଦୱାଡାରେ ସାଂସଦ ରହିଥିଲେ ଏବେ ଛିନ୍ଦୱାଡାରୁ ବିଧାୟକ ଅଛନ୍ତି କମଲନାଥ । ଗତ ନଭେମ୍ବରରେ ମଧ୍ୟପ୍ରଦେଶରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ଖରାପ ପ୍ରଦର୍ଶନ କରିବା ପରେ କମଲନାଥଙ୍କୁ ପିସିସି ସଭାପତି ପଦରୁ ହଟାଯାଇଥିଲା ।