କଂଗ୍ରେସରୁ ଇସ୍ତଫା ଦେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ । ମୋଦିଙ୍କୁ ଭେଟିବା ପରେ ହାତକୁ କଲେ ସାତ ପର । ଖୁବଶୀଘ୍ର ଲାଗିପାରେ ବିଜେପିର ଗେରୁଆ ରଙ୍ଗ

2,342

କନକ ବ୍ୟୁରୋ: କଂଗ୍ରେସରୁ ଇସ୍ତଫା ଦେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ । ପ୍ରାଥମିକ ସଦସ୍ୟ ପଦରୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଇସ୍ତଫା । କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପଠାଇଲେ ନିଜ ଇସ୍ତଫା ପତ୍ର । ମୋଦିଙ୍କ ସହ ସାକ୍ଷାତ ପରେ ହାତ ଛାଡିଦେଲେ ମଧ୍ୟପ୍ରଦେଶର ବରିଷ୍ଠ କଂଗ୍ରେସ ନେତା ସିନ୍ଧିଆ ।

ତେବେ କିଛି ସମୟ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ ସିନ୍ଧିଆ । ମୋଦିଙ୍କ ବାସଭବନରେ ଅମିତ ଶାହାଙ୍କ ସହ ଯାଇ ସାକ୍ଷାତ କରିଥିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଆଉ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ପରେ କଂଗ୍ରେସକୁ ଶକ୍ତ ଝଟକା ଦେଲେ ।

ହାତ ଛାଡିବା ପରେ ସିନ୍ଧିଆ ଖୁବଶୀଘ୍ର ପଦ୍ମ ଧରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ମୋଦିଙ୍କୁ ଭେଟିବା ପରେ ବିଜେପିରେ ମିଶିବେ କି ଜ୍ୟୋତିରାଦିତ୍ୟ ସିନ୍ଧିଆ ? ହାତ ଛାଡି ପଦ୍ମ ଧରିବେ କି ସିନ୍ଧିଆ? ରଙ୍ଗର ପର୍ବରେ ସିନ୍ଧିଆଙ୍କ ଦେହରେ ଲାଗିବ କି ରାଜନୀତିର ଗେରୁଆ ରଙ୍ଗ? ଏମିତି କିଛି ପ୍ରଶ୍ନ ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା । ଆଉ ସବୁ ଚର୍ଚ୍ଚାକୁ ଫର୍ଚ୍ଚା କରି ସିନ୍ଧିଆ କଂଗ୍ରେସ ଛାଡିଛନ୍ତି । ତେବେ ସିନ୍ଧିଆଙ୍କ ପରବର୍ତ୍ତୀ ନିଷ୍ପତ୍ତି ଉପରେ ସାରା ଦେଶର ନଜର ରହିଥିବା ବେଳେ ସିନ୍ଧିଆଙ୍କ ସମର୍ଥନରେ ୨୦ ଜଣ ବିଧାୟକ ବେଙ୍ଗାଲୁରୁରେ ଡେରା ପକାଇଛନ୍ତି ।