ନିର୍ବାଚନ ତାରିଖ ଘୋଷଣା ହୋଇନି । ତଥାପି ରାୟଗଡାରେ ଘର ଘର ବୁଲି ପ୍ରଚାର କରୁଛନ୍ତି କଂଗ୍ରେସ ନେତା

113

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ତାରିଖ ଆସିନି କି ପ୍ରାର୍ଥୀ ତାଲିକା ଘୋଷଣା ହୋଇନି । କିନ୍ତୁ ଜମିଲାଣି ପ୍ରଚାର । କଂଗ୍ରେସର ଆଶାୟୀ ପ୍ରାର୍ଥୀ ନିଜ ନିଜ ଅଞ୍ଚଳରେ ପ୍ରଚାର କରି ବୁଥ୍ ସଜାଡିବା ଆରମ୍ଭ କଲେଣି । ରାୟଗଡା ବିଧାନସଭା ଆଶାୟୀ ବିଧାୟକ ପ୍ରାର୍ଥୀ ଆପଲାସ୍ୱାମି କାଡ୍ରାକା ଓ କୋରାପୁଟ ଲୋକସଭା ସାସଂଦ ଆଶାୟୀ ପ୍ରାର୍ଥୀ ସପ୍ତଗିରି ଉଲାକା ମିଶି ପ୍ରଚାର ଚଳାଇଛନ୍ତି । ଏଆଇସିସିର ନିର୍ଦ୍ଧେଶରେ ପ୍ରଚାର କରାଯାଉଥିବା କହିଛନ୍ତି ସାସଂଦ ଆଶାୟୀ ପ୍ରାର୍ଥୀ ସପ୍ତଗିରି ଉଲାକା । ଅବିଭକ୍ତ କୋରାପୁଟ ଜିଲ୍ଲାରେ ଲୋକଙ୍କର ବହୁ ସମସ୍ୟା ରହିଛି, ସମସ୍ତ ସମସ୍ୟାକୁ ନିର୍ବାଚନୀ ଇସ୍ତାହାରରେ ରଖି ସମାଧାନ କରାଯିବ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି କଂଗ୍ରେସର ଆଶାୟୀ ପ୍ରାର୍ଥୀ ।

  • ଭୁଲ ସୁଧାରିବାକୁ କଂଗ୍ରେସର ପ୍ରୟାସ
  • ବୁଥ୍ ସଜାଡିବାକୁ ରାଜ୍ୟ ନେତାଙ୍କ ଉଦ୍ୟମ

୨୦୧୯ରେ ପ୍ରାର୍ଥୀ ଘୋଷଣାରେ ବିଳମ୍ବ ଯୋଗୁଁ ପ୍ରଚାର ପାଇଁ ସମୟ ମିଳିନଥିଲା । ତେଣୁ ଏଥର ଆଗରୁ ପ୍ରଚାର ଆରମ୍ଭ କରିଛନ୍ତି ପ୍ରଦେଶ କଂଗ୍ରେସ ନେତା । ଅବିଭକ୍ତ କୋରାପୁଟ ଜିଲ୍ଲା ଏକ ବହୁତ ବଡ ଜିଲ୍ଲା । ୩୭୧ଟି ପଂଚାୟତ ନିର୍ବାଚନ ବେଳେ ବୁଲିବା ସମ୍ଭବ ନୁହେଁ, ତେଣୁ ଏଆଇସିସିର ନିର୍ଦ୍ଦେଶ କ୍ରମେ କେଉଁଦିନ କେଉଁ ଅଂଚଳ ବୁଲିବେ, ତାର ପ୍ରସ୍ତୁତି କରି ନିଜ ନିଜ ସମର୍ଥକଙ୍କ ସହ ପ୍ରଚାର କରୁଛନ୍ତି । ବଡ଼ବଡ଼ ସଭା ନକରି ଗାଁ ଗାଁ, ପଂଚାୟତ ପଂଚାୟତ ଓ ଘର ଘର ବୁଲି ଲୋକଙ୍କୁ ଭେଟୁଛନ୍ତି ନେତା । କଂଗ୍ରେସ ପ୍ରତି ଲୋକଙ୍କ ଭଲ ପାଇବା ବଢିଛି, ଆଗାମୀ ନିର୍ବାଚନରେ ରାୟଗଡାରେ କଂଗ୍ରେସ ଓ ବିଜେଡି ମଧ୍ୟରେ କଡା ଟକ୍ଟର ହେବ । ଅବିଭକ୍ତ କୋରାପୁଟ ଜିଲ୍ଲାରେ କଂଗ୍ରେସ ଭଲ ପ୍ରଦର୍ଶନ କରି ସବୁ ଆଶନରେ ବିଜୟୀ ହେବ ବୋଲି ଦୃଢକ୍ତି ପ୍ରକାଶ କରିଛନ୍ତି ରାୟଗଡା ବିଧାନସଭା ଆଶାୟୀ ଆପଲାସ୍ୱାମୀ କାଡ୍ରାକା ।

ନିକଟରେ ରାୟଗଡା ବିଧାନସଭାର ରାୟଗଡା ଓ କାଶୀପୁର ବ୍ଳକର କିଛି ପଚାଂୟତ ସମେତ କୋରାପୁଟ ପଟାଙ୍ଗି ଅଞ୍ଚଳରେ ପ୍ରଚାର କରିଛନ୍ତି କଂଗ୍ରେସର ଦୁଇ ଆଶାୟୀ ପ୍ରାର୍ଥୀ । ସାଥିରେ ଥିଲେ ଓପିସିସି ରାଜ୍ୟ ସାଧାରଣ ସଂପାଦକ ଦୂର୍ଗା ପ୍ରସାଦ ପଣ୍ଡା ଓ ସାସଂଦଙ୍କ ପତ୍ନୀ ର୍ପୂଜା ଉଲ୍ଲାକା ।