କନକ ବ୍ୟୁରୋ: କଂଗ୍ରେସକୁ ଗୁଡ୍ ବାଏ କହିଲେ ଦଳର ବରିଷ୍ଠ ନେତା ତଥା ମୁଖପାତ୍ର ଗୌରବ ବଲ୍ଲଭ । ଗୁରୁବାର ସେ କଂଗ୍ରେସର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ସୋସିଆଲ୍ ମିଡିଆରେ ପୋଷ୍ଟ କରି ଗୌରବ ବଲ୍ଲଭ ଦଳ ଛାଡିବାର କାରଣ ମଧ୍ୟ କହିଛନ୍ତି । ଗୌରବ ବଲ୍ଲଭଙ୍କ କହିବା କଥା, ସେ ସନାତନ ବିରୋଧୀ ନାରା ଦେଇପାରିବେନି, ଏବଂ ଦିନ ରାତି ଗାଳି ଦେଇପାରିବେନି । ତେଣୁ ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛନ୍ତି ।

Advertisment

ଗୌରବ ବଲ୍ଲଭ କଂଗ୍ରେସ ଅଧ୍ୟକ୍ଷଙ୍କ ପାଖକୁ ଲେଖିଥିବା ଚିଠିରେ କହିଛନ୍ତି ଯେ, ଭାବୁକ ଅଛି, ମନ ବ୍ୟଥିତ ଅଛି । ଅନେକ କିଛି କଥା କହିବାକୁ ଅଛି, ଲେଖିବାକୁ ଅଛି । ହେଲେ ମୋ ସଂସ୍କାର ସେମିତି କିଛି ବି କହିବାକୁ ମନା କରୁଛି, ଯେଉଁଥିରେ ଅନ୍ୟମାନଙ୍କୁ କଷ୍ଟ ହେବ । ତଥାପି ଆଜି ମୋ କଥାକୁ ଆପଣଙ୍କ ସମ୍ମୁଖରେ ରଖୁଛି । ମୋତେ ଲାଗୁଛି ସତକୁ ଲୁଚାଇବା ବି ଅପରାଧ, ଆଉ ମୁଁ ସେ ଅପରାଧର ଭାଗିଦାରୀ ହେବାକୁ ଚାହୁଁନି ।

ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଅର୍ଥନୀତିର ଜଣେ ପ୍ରଫେସର ଅଟେ । ମୁଁ ଯେତେବେଳେ କଂଗ୍ରେସ ପାର୍ଟିର ସଦସ୍ୟତା ଗ୍ରହଣ କଲି, ସେତେବେଳେ ଦଳ ମୋତେ ରାଷ୍ଟ୍ରୀୟ ମୁଖପାତ୍ର ଦାୟିତ୍ୱ ଦେଲା । ଆଉ ଅନେକ ପ୍ରସଙ୍ଗରେ ମୁଁ ମୋ ପକ୍ଷ ରଖିଥିଲି । ହେଲେ ଗତ କିଚି ଦିନ ଧରି ପାର୍ଟିର ସ୍ଥିତିକୁ ନେଇ ମୁଁ ନିଜକୁ ଅସହଜ ମନେ କରୁଛି । ଗ୍ରାଉଣ୍ଡରେ ପାର୍ଟିର ସମ୍ପର୍କ ଛିନ୍ନ ହେଇସାରିଲାଣି । ଯେଉଁ କାରଣରୁ ପାର୍ଟି ନା ସରକାରକୁ ଫେରିପାରୁଛି, ନା ବିରୋଧୀ ଭାବେ ନିଜର ଦାୟିତ୍ୱ ନିର୍ବାହ କରିପାରୁଛି ।

ସୂଚନାଯୋଗ୍ୟ ଯେ, ଗୌରବ ବଲ୍ଲଭ କଂଗ୍ରେସର ମୁଖପାତ୍ର ଭାବେ ବେଶ ଲୋକପ୍ରିୟ । ବିଶେଷକରି ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ସହ ସେ ଅନେକ ମଞ୍ଚରେ ମୁହାଁମୁହିଁ ହେଇଥାନ୍ତି । ନିକଟରେ ତାଙ୍କର ଏକ ଭିଡିଓ ବେଶ ଭାଇରାଲ ମଧ୍ୟ ହେଇଥିଲା । ଯେଉଁଥିରେ ସେ ସମ୍ବିତ ପାତ୍ରଙ୍କୁ ଗୋଟିଏ ଟ୍ରିଲିୟନରେ କେତୋଟି ଶୂନ ଅଛି ବୋଲି ପ୍ରଶ୍ନ କରିଥିଲେ । ଖାଲି ସେତିକି ନୁହେଁ, ଗୌରବ ବଲ୍ଲଭ ରାଜସ୍ଥାନର ଉଦୟପୁର ଓ ଝାଡଖଣ୍ଡର ଜାମସେଦପୁରରୁ ବିଧାନସଭା ନିର୍ବାଚନ ମଧ୍ୟ ଲଢିସାରିଛନ୍ତି । ହେଲେ ଦୁଇଟି ଯାକ ନିର୍ବାଚନରେ ତାଙ୍କୁ ପରାଜୟ ଦେଖିବାକୁ ମିଳିଥିଲା ।