କନକ ବ୍ୟୁରୋ : ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରାକର ବିଦେଶୀ ପୁଞ୍ଜିନିବେଶକୁ ଅଗ୍ରାଧିକାର ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶବିଦେଶ ଗସ୍ତ କରି ବିଦେଶୀ କମ୍ପାନୀମାନଙ୍କୁ ଓଡିଶା ଆସି ବ୍ୟବସାୟ କରିବାକୁ ନିମନ୍ତ୍ରଣ କରୁଛନ୍ତି । ଏହି କ୍ରମରେ ଏବେ ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତରେ ଥିବା ବେଳେ ଏହାକୁ ନେଇ କଂଗ୍ରେସ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି । କଂଗ୍ରେସ ନେତା ତଥା ପୂର୍ବତନ ପ୍ରଶାସକ ବିଜୟ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ୧୦ଟି ପ୍ରଶ୍ନ ପଚାରିଛନ୍ତି ।

Advertisment

ବିଜୟ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ପଚାରିଥିବା ପ୍ରଶ୍ନଗୁଡିକ

  • ଓଡିଶା ସରକାର ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ଜାପାନ, ରୋମ୍, ଦୁବାଇରେ ବୈଠକ କରିଆସୁଛନ୍ତି । ତେବେ ଏପର୍ଯ୍ୟନ୍ତ କେତେ ବିଦେଶୀ ନିବେଶକ ଓଡିଶାକୁ ଆସି ବିନିଯୋଗ କରିଛନ୍ତି ? । ଆରଟିଆଇ ତତ୍ୟ ମୁତାବକ ୨୦୧୬ ମସିହାରୁ ୨୦୨୨ ମସିହା ମଧ୍ୟରେ ମୋଟ ୫ଟି ବିଦେଶୀ ନିବେଶକ ଓଡିଶାକୁ ଶିଳ୍ପ ସ୍ଥାପନ ପାଇଁ ଆସିଛନ୍ତି ଓ ଯାହାର ମୂଲ୍ୟ୧୩୬୮.୫୪ କୋଟି ଟଙ୍କା । ତେବେ ଏତେ ମହଙ୍ଗା ବିଦେଶ ଗସ୍ତ କାହିଁକି ?
  • ୨୦୧୬ ମସିହାରେ ମେକ୍‌-ଇନ୍‌-ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ସରକାର ୨୦.୭୯କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ସେହିପରି ୨୦୧୮ ମସିହାରେ ରାଜ୍ୟ ସରକାର ୩୪.୫୧କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ୨୦୨୨ମସିହାରେ ଆୟୋଜିତ ମେକ୍‌-ଇନ୍‌-ଓଡ଼ିଶା କାର୍ଯ୍ୟକ୍ରମରେ କେତେଜଣ ଓଡ଼ିଆ ସଭା ମଂଚରେ ଉପରେ ବସିଥିଲେ ।
  • ସରକାରଙ୍କ କହିବା ଅନୁସାରେ ରାଜ୍ୟରେ ମେକ୍‌-ଇନ୍‌-ଓଡ଼ିଶା ୨୦୧୬ରେ ୮୪ଟି ପ୍ରକଳ୍ପରେ ୨.୦୩ଲକ୍ଷ କୋଟି ଟଙ୍କା ବିନିଯୋଗ କରାଯାଇ ୮୦୦୩୮ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ମେକ୍‌-ଇନ୍‌-ଓଡ଼ିଶା ୨୦୧୮ରେ ୨୦୨ଟି ପ୍ରକଳ୍ପରେ ୪.୨୩ ଲକ୍ଷ କୋଟି ଟଙ୍କା ବିନିଯୋଗ କରାଯାଇ ୨୪୧୫୧୮ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ଆକଳନ ସରକାରଙ୍କ ଦ୍ୱାରା ଯାଂଚ କରାଯାଇଛି କି ? ଯଦି କରାଯାଇଛି ତେବେ କାହାଦ୍ୱାରା? ନିଯୁକ୍ତି ବ୍ୟକ୍ତିମାନଙ୍କ ମଧ୍ୟରୁ ଓଡ଼ିଶାର କେତେ ଜଣ?
  •  କାହିଁକି ଓଡ଼ିଶାର ବିଭିନ୍ନ ସ୍ଥାନରେ ଏପରି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉନାହିଁ । ଓଡ଼ିଶାର କ’ଣ କୌଣସି ନିବେଶକ ନାହାଁନ୍ତି କି?
  •  ଶିଳ୍ପ ପ୍ରତିଷ୍ଠା ପାଇଁ ଯେଉଁମାନେ ଓଡ଼ିଶା ବାହାରୁ ଆସିବେ ସେମାନଙ୍କ ପାଇଁ ସିଙ୍ଗଲ୍ ୱଣ୍ଡୋ ସୁବିଧା ଅଛି, ହେଲେ ଯେଉଁମାନେ ଓଡ଼ିଶାରେ ଶିଳ୍ପ ସ୍ଥାପନ କରିସାରିଛନ୍ତି ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ କ’ଣ ବ୍ୟବସ୍ଥା ଅଛି? ଯଦି ସେମାନଙ୍କର ସମସ୍ୟା ସମାଧାନ ନ ହୁଏ ତେବେ ଏହି ବାର୍ତା ବିସ୍ତାର ହେବ ଏବଂ ଏହା ନୂତନ ନିବେଶକମାନଙ୍କୁ ପ୍ରଭାବିତ କରିବ ।
  •  ଓଡ଼ିଶାରେ ଏମ୍‌.ଏସ୍‌.ଏମ୍‌.ଇ କୁ ଆକର୍ଷିତ କରିବା ତଥା ପ୍ରୋତ୍ସାହିତ କରିବା ପାଇଁ ସରକାର କେଉଁ ପଦକ୍ଷେପ ନେଇଛନ୍ତି?
  •  ଓଡ଼ିଶାରେ ଡାଉନଷ୍ଟିମ୍ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର କେଉଁ ପଦକ୍ଷେପ ନେଇଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟରେ କେତୋଟି ଡାଉନଷ୍ଟିମ୍ ଶିଳ୍ପ ପ୍ରତିଷ୍ଠା କରାଯାଇଛି । ସେଗୁଡିକ ମଧ୍ୟରୁ କେତୋଟି ଓଡ଼ିଆଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଛି ?
  •  ଓଡ଼ିଶାରେ କେତୋଟି ଏମ୍‌.ଏସ୍‌.ଏମ୍‌.ଇ ଓଡ଼ିଶାରେ ଥିବା ପ୍ରମୁଖ ଶିଳ୍ପରୁ କେଉଁ କେଉଁ କାର୍ଯ୍ୟ ପାଇଁ ଅର୍ଡର ପାଇଛନ୍ତି ? ଏହାର ମୂଲ୍ୟ କେତେ ? ଏହିସବୁ ଏମ୍‌.ଏସ୍‌.ଏମ୍‌.ଇ ଉପରେ ନଜର ରଖିବା ପାଇଁ ସରକାର କ’ଣ ବ୍ୟବସ୍ଥା କରିଛନ୍ତି ?
  •  ସରକାର ଏମ୍‌.ଏସ୍‌.ଏମ୍‌.ଇର ବହୁବିଧ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି କି?
  •  ଓଡ଼ିଶା ସରକାର ରାଜ୍ୟରେ ଥିବା ଷ୍ଟାର୍ଟ ଅପରୁ ସ୍ୱତନ୍ତ୍ର କ୍ରୟ ପାଇଁ କୌଣସି ଆଇଟମ୍ ସଂରକ୍ଷଣ କରିଛନ୍ତି କି?