କନକ ବ୍ୟୁରୋ: ବାବୁରୁ ନେତା ହେବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । କଂଗ୍ରେସ ଭବନରେ ପ୍ରେସମିଟ୍ କରି ଶାସକ ଦଳ ଉପରେ ବର୍ଷିବା ସହ ରାଜ୍ୟ ସରକାରଙ୍କୁ ସିଧା ସିଧା ନିଶାନା କରିଛନ୍ତି ବିଜୟ । ତେବେ ବିଜୟଙ୍କ କହିବା କଥା, ଲୋକମାନେ ଯେଉଁ ସରକାରଙ୍କୁ ଭୋଟ୍ ଦେଇ ଜିତେଇଛନ୍ତି, ସେହି ଲୋକମାନଙ୍କ କଥା ଏବେ ସରକାର ଶୁଣିପାରୁନି ।

Advertisment

ବିଧାୟକଙ୍କ ପାଖକୁ କୌଣସି ଲୋକ ଅସୁବିଧା ନେଇ ଗଲେ ସେ ତାଙ୍କ ହାତରେ କିଛି ନାହିଁ ବୋଲି କହୁଛନ୍ତି, ସେହିପରି ମନ୍ତ୍ରୀ ମାନେ ମଧ୍ୟ ସମାନ କଥା କହୁଛନ୍ତି । ବର୍ତମାନ ସମୟରେ ତୃତୀୟ ମହଲା ଦ୍ୱାରା ସବୁକିଛି ନିୟନ୍ତ୍ରିତ ହେଉଛି ବୋଲି ବିଜୟ କହିବା ସହିତ ସରକାରଙ୍କୁ ତୀର ମାରିଛନ୍ତି । ତେବେ ଯେଉଁଠି ଲୋକସେବା ଭବନ ଆଉ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ସାମ୍ବାଦିକମାନଙ୍କୁ ମନା ହେଉଛି, ସେଠି ଲୋକଙ୍କ ସ୍ୱର କେମିତି ଶୁଭିବ ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ ନେତାମାନେ ଯଦି ଲୋକଙ୍କ ସହ ମିଶିବେନି, ସେମାନଙ୍କ ଗୁହାରୀ ଶୁଣିବେନି ତେବେ ଏହାକୁ ଗଣତନ୍ତ୍ର କେମିତି କୁହାଯିବ? ବର୍ତମାନ ସମୟରେ ଚାଲିଥିବା ରୁଦ୍ଧଦ୍ୱାର ବ୍ୟବସ୍ଥାରେ ପରିବର୍ତନ ହେବା ଦରକାର ବୋଲି କଂଗ୍ରେସ ନେତା ବିଜୟ ପଟ୍ଟନାୟକ ପ୍ରେସମିଟ୍ କରି କହିଛନ୍ତି ।

ଅନ୍ୟପଟେ ସେଚ୍ଛାଚାରିତା ବଢିଲେ ଦୁର୍ନୀତି ବଢେ । ଲଡ୍ ଆକ୍ଟନ କହିଥିଲେ, ଯଦି କୌଣସି ଲୋକର କ୍ଷମତା ବିରୋଧରେ କହିପାରିବେନି, ତେବେ ସ୍ୱେଚ୍ଛାଚାରିତା ବଢିବ, ଦୁର୍ନୀତି ବଢିବ । ବର୍ତମାନ ସମୟରେ ସାଧାରଣ ଲୋକଟିଏ ଘର ପାଇଁ କାର୍ଡ ପାଇଁ ଭତ୍ତା ପାଇଁ ଟଙ୍କା ଦେବାକୁ ପଡୁଛି । ଏ ବ୍ୟବସ୍ଥାରେ ବର୍ତମାନ ପରିବର୍ତନ ଆଣିବାକୁ ପଡିବ ବୋଲି ସେ କହିଛନ୍ତି ।

ତେବେ ଓଡିଶାରେ ଓଡିଆ ମାନେ ନିର୍ଯାତିତ । ଓଡିଶାର କଣ୍ଟ୍ରାକ୍ଟରମାନେ କାମ ପାଇପାରୁନାହାଁନ୍ତି । କେବଳ ବଡ ବଡ ନୁହେଁ, ଛୋଟ ଛୋଟ କଣ୍ଟ୍ରାକ୍ଟର ଯଦି ଓଡିଶା ବାହାରୁ ଆସି କାମ କରିବେ, ତେବେ ଓଡିଶାର ଲୋକ କୁଆଡେ ଯିବେ? ରାଜ୍ୟର ବିକାଶ ପାଇଁ ଅନେକ କାମ ଚାଲିଛି ହେଲେ ସବୁକିଛି ବାହାରୁ ଆସୁଛି । ବାହାର ଲୋକଙ୍କୁ ସବୁ କାମ ଦିଆଯାଉଛି । ଓଡିଶାରେ ଓଡିଆ ଲୋକଙ୍କୁ କାମ ନମିଳିବା କାରଣରୁ ଓଡିଶାର ଲୋକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି ବୋଲି ବିଜୟ କହିଛନ୍ତି ।

ଓଡିଶାରେ ବର୍ତ୍ତମାନ ନିଯୁକ୍ତିର ଅଭାବ ଦେଖାଦେଇଛି । ଓଡିଶାର କେତେ ଲୋକ ବାହାରେ ଦାଦନ ଖଟୁଛନ୍ତି, ତାହା ସରକାର ପାଖରେ ତଥ୍ୟ ନାହିଁ । ଓଡିଶାରେ ଯଦି ସୁବିଧା ସୁଯୋଗ ଥାନ୍ତା, ତେବେ ଓଡିଆ ଲୋକମାନେ କଣ ପାଇଁ ବାହାରକୁ ଯାଆନ୍ତେ ବୋଲି ବିଜୟ କହିଛନ୍ତି ।