ଚିରଞ୍ଜୀବୀ ବିଶ୍ୱାଳଙ୍କ ମାନଭଞ୍ଜନ ପାଇଁ ବିଜୟ ପଟ୍ଟନାୟକଙ୍କ ପ୍ରୟାସ । ଦଳ ଛାଡ଼ିବା ଚର୍ଚ୍ଚାକୁ ଖଣ୍ଡନ କଲେ ଚିରଞ୍ଜୀବୀ । କହିଲେ, କଂଗ୍ରେସରେ ଅଛନ୍ତି, କଂଗ୍ରେସରେ ରହିବେ

186

କନକ ବ୍ୟୁରୋ: ଚିରଞ୍ଜୀବୀଙ୍କ ମାନଭଞ୍ଜନ । କଂଗ୍ରେସ ଭବନ କିମ୍ବା ଦଳୀୟ ସମାବଶ କି ବିକ୍ଷୋଭ ପ୍ରତିବାଦରୁ ଦୂରେଇ ରହୁଥିବା ଚିରଞ୍ଜୀବୀ ବିଶ୍ୱାଳଙ୍କୁ ସଦ୍ୟ କଂଗ୍ରେସର ନେତା ହୋଇଥିବା ବିଜୟ ପଟ୍ଟନାୟକ ଭେଟିବା ଚର୍ଚ୍ଚା ବଢ଼ାଇଦେଇଛି । ଏହି ସାକ୍ଷାତକୁ ଚିରଞ୍ଜୀବୀ ସୌଜନ୍ୟମୂଳକ ବୋଲି କହିଥିବା ବେଳେ ବିଜୟ ତାଙ୍କୁ ବୁଝାଇବାକୁ ଯାଇଥିଲେ ବୋଲି ଚର୍ଚ୍ଚା ହେଉଛି ।

  • ବିଜୟ ବୁଝାଇଲେ ଚିରଞ୍ଜୀବୀ ବୁଝିଗଲେ?
  • ଦଳକୁ ସଂଗଠିତ କରିବାକୁ ଉଦ୍ୟମ?

ପୂର୍ବତନ ମୁଖ୍ୟ ପ୍ରଶାସକ ବିଜୟ ପଟ୍ଟନାୟକ, କଂଗ୍ରେସରେ ଯୋଗ ଦେବା ପରେ ଦଳୀୟ ନେତା ଓ କର୍ମୀଙ୍କୁ ଭେଟି ଆସୁଛନ୍ତି । ଚର୍ଚ୍ଚା ହେଉଛି ସେ ଦଳୀୟ ନେତାଙ୍କୁ ଏକାଠି କରି ୨୦୨୪ ପାଇଁ ଦଳୀୟ ସଂଗଠନକୁ ମଜବୁତ କରିବାର ଲକ୍ଷ୍ୟ ରଖିଛନ୍ତି । ଜଣେ ପ୍ରଶାସକ ଭାବେ ସମନ୍ୱୟ ରଖା କରିବାର ଅଭିଜ୍ଞତା ଥିବାରୁ ଦଳ ତାଙ୍କୁ ଏହି ଭେଟଘାଟ ଜରିଆରେ ସମ୍ପର୍କ ସ୍ଥାପନ କରିବାକୁ ଦାୟିତ୍ୱ ଦେଇଛି ।

ଏହା ପୂର୍ବରୁ କଂଗ୍ରେସ ବିଧାୟକ ସୁର ରାଉତରାୟ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସୁପୁତ୍ର ପୃଥ୍ୱୀବଲ୍ଳଭ ପଟ୍ଟନାୟକଙ୍କୁ ମଧ୍ୟ ଭେଟିଥିଲେ । ତେବେ ଏହି ଦେଖାସାକ୍ଷାତ ପରେ ଚିରଞ୍ଜୀବୀ କହିଛନ୍ତି- ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା । ତଥାପି ଦଳୀୟ ସଂଗଠନ ଓ ଦଳୀୟ ରଣନୀତି ନେଇ ଚର୍ଚ୍ଚା ହୋଇଥିଲା ବୋଲି ଚିରଞ୍ଜୀବୀ କହିଛନ୍ତି । ସେହିପରି ବିଜୟ ପଟ୍ଟନାୟକ କହିଛନ୍ତି, ଦଳୀୟ ସଂଗଠନକୁ ମଜବୁତ କରିବା ପାଇଁ ତାଙ୍କ ମତାମତ ନିଆଯାଇଥିଲା ।

ଏସବୁ ଭିତରେ କିନ୍ତୁ ଯେତେବେଳେ ସାମ୍ବାଦିକମାନେ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳ ପରିବର୍ତ୍ତନ ଚର୍ଚ୍ଚା ଉପରେ ପ୍ରଶ୍ନ କରିଥିଲେ, ସେ ଚିହିଁକି ଯାଇଥିଲେ । ଚିରଞ୍ଜୀବ କହିଛନ୍ତି, କଂଗ୍ରେସ ଭବନ ଯିବା ଅପେକ୍ଷା ତୃଣମୂଳସ୍ତରକୁ ଯାଇ ଲୋକଙ୍କ ସହ ରହିବା ଗୁରୁତ୍ୱୂପୂର୍ଣ୍ଣ । ତେବେ ଦେଖିବା କଥା ବିଜୟ ପଟ୍ଟନାୟକଙ୍କ ଏହି ସାକ୍ଷାତ କାର୍ଯ୍ୟକ୍ରମ, ଚିରଞ୍ଜୀବୀଙ୍କୁ କେତେ ପ୍ରଭାବିତ କରୁଛି । ଏବଂ ୨୦୨୪ ଲଢ଼େଇରେ ଚିରଞ୍ଜୀବୀ ଦଳ ପାଇଁ କେଉଁ ଭୂମିକାରେ ଆସୁଛନ୍ତି ।