ମମିତା ହତ୍ୟା ମାମଲାରେ ସରକାରଙ୍କୁ ଘେରିଲେ ଭକ୍ତ । ପଢନ୍ତୁ, କଣ କହିଲା ବିଜେଡି…

222

କନକ ବ୍ୟୁରୋ: ମମିତା ହତ୍ୟା ମାମଲାରେ ପୁଣି ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ନେତା ଭକ୍ତ ଦାସ ଏବଂ ବିଜେଡି । ଏହି କଂଗ୍ରେସ ନେତା ସାମ୍ବାଦିକ ସମ୍ମିଳନୀ କରି ହାଇକୋର୍ଟ ବିଚାରପତିଙ୍କ ଦ୍ୱାରା ଏହି ଘଟଣାର ତଦନ୍ତ ପାଇଁ ଦାବି କରିଛନ୍ତି । ସେହିଭଳି ମନ୍ତ୍ରୀଙ୍କ ବହିଷ୍କାର ସହ ପୁଲିସର ତଦନ୍ତ ଓ ଏହାର ବିଶ୍ୱସନୀୟତାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ଆଉ ଏପଟେ ବିଜେଡି, ଭକ୍ତ ଦାସ  ଓ ତାଙ୍କ ପୁଅ କ୍ରାନ୍ତି ଦାସଙ୍କ ଗୋବିନ୍ଦ ସାହୁ ଓ ମହାଲିଙ୍ଗ କଲେଜ ସହ କଣ ସଂପର୍କ ତାକୁ ଉଠାଇ, ଭକ୍ତଙ୍କୁ ବିବାଦ ଭିତରକୁ ଟାଣିଛି ।

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିକୁ ପୁଣି ଦୋହରାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ । ଜଘନ୍ୟ ହତ୍ୟାକାଣ୍ଡରେ ସଂପୃକ୍ତ ଦୋଷୀଙ୍କୁ ସୁରକ୍ଷା ଦେବା ପାଇଁ ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ କରିଛନ୍ତି ଭକ୍ତ ।  ଖାଲି ସେତିକି ନୁହେଁ, ବଲାଙ୍ଗୀର ପୁଲିସର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସର ଏହି ବରିଷ୍ଠ ନେତା । ସେ କହିଛନ୍ତି ହାଇକୋର୍ଟ ବିଚାରପତିଙ୍କ ତତ୍ୱାବଧାନରେ ତଦନ୍ତ କଲେ ସତ ସାମନାକୁ ଆସିବ । ପ୍ରକୃତ ଦୋଷୀ ଧରାପଡ଼ିବେ ।

ମମିତା ମେହେର ହତ୍ୟାକାଣ୍ଡ ଜଣକ ଦ୍ୱାରା ସମ୍ଭବ ନୁହେଁ । ତେଣୁ ଆଉ କିଏ ସାମିଲ ଓ ମନ୍ତ୍ରୀଙ୍କ ଭୂମିକା ପରେ ପୁଲିସର ନୀରବତାକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି ଭକ୍ତ ।  ସେପଟେ ପ୍ରେସମିଟ୍ କରି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ରାଜ୍ୟ ସରକାରଙ୍କୁ ଭକ୍ତ ଦାସ ଟାର୍ଗେଟ କରିଥିବା ବେଳେ କାଉଣ୍ଟର ପ୍ରେସମିଟ୍ କରିଛି ବିଜେଡି । କଂଗ୍ରେସକୁ ବିଜେପିର ବି ଟିମ୍ ବୋଲି କଟାକ୍ଷ କରି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ମହାଲିଙ୍ଗ କଲେଜ ମ୍ୟାନେଜମେଣ୍ଟ ଟ୍ରଷ୍ଟର କାଗଜପତ୍ର ସାମ୍ବାଦିକ ସମ୍ମିଳନୀରେ ଦେଖାଇଛନ୍ତି ।

ସସ୍ମିତ କହିଛନ୍ତି କଲେଜ ଟ୍ରଷ୍ଟର ଅଧ୍ୟକ୍ଷ ଅଛନ୍ତି ଗୋବିନ୍ଦ ସାହୁ । ତେବେ ଟ୍ରଷ୍ଟର ସଭାପତିଙ୍କ ନାଁ ରହିଛି କ୍ରାନ୍ତି ଦାସ । ଏହି କ୍ରାନ୍ତି ଦାସ, ଭକ୍ତ ଦାସଙ୍କ ପୁଅ କି ନାହିଁ ପ୍ରଶ୍ନ କରିଛନ୍ତି ସସ୍ମିତ । ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ଭକ୍ତ ଦାସଙ୍କ ଫଟୋ ପ୍ରେସମିଟ୍ରେ ଦେଖାଇବା ସହ ଏହି ଫଟୋ ୨୦୨୦ ମସିହାର କି ନୁହେଁ ପ୍ରଶ୍ନ କରିଛନ୍ତି ସସ୍ମିତ । ବିହାର, ତେଲେଙ୍ଗାନାରେ ଭକ୍ତ ଦାସଙ୍କ  ନାଁରେ ଟିକେଟ ଦେବା ପାଇଁ ଲାଞ୍ଚ ମାଗିଥିବା ଭଳି ଅଭିଯୋଗ ରହିଛି ବୋଲି କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର । ମନ୍ତ୍ରୀ ଦିବଶଙ୍କରଙ୍କ ବହିଷ୍କାର ଦାବିରେ ଅଡି ବସିଛନ୍ତି ବିରୋଧୀ । ହେଲେ ବିରୋଧୀଙ୍କ ପାଖରେ ପ୍ରମାଣ ଥିଲେ କୋର୍ଟରେ ଦିଅନ୍ତୁ ବୋଲି ବିଜେଡି ଆହ୍ୱାନ ଦେଇଆସୁଛି ।