ବିଜେଡି-ବିଜେପି ମଧ୍ୟରେ ହୋଇଛି ମ୍ୟାଚ୍ ଫିକ୍ସିଂ! ଏନଡିଏ ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ ପ୍ରସଙ୍ଗରେ କଂଗ୍ରେସର କଡ଼ା ସମାଲୋଚନା

24

କନକ ବ୍ୟୁରୋ : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ ପ୍ରସଙ୍ଗରେ ଉଭୟ ବିଜେପି ଓ ବିଜେଡିକୁ କଡା ସମାଲୋଚନା କରିଛନ୍ତି କଂଗ୍ରେସ ନେତା ଆନନ୍ଦ ଶର୍ମା । ବିଜେଡି ଓ ବିଜେପି ମଧ୍ୟରେ ମ୍ୟାଚ୍ ଫିକ୍ସିଂ ଚାଲିଛି ବୋଲି ସିଧାସଳଖ ଅଭିଯୋଗ କରିଛନ୍ତି ଆନନ୍ଦ । ଦୁଇ ଦଳ ମଧ୍ୟ କ’ଣ ସଂପର୍କ ରହିଛି ତାହା ଲୋକ ଜାଣନ୍ତି ବୋଲି ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଆନନ୍ଦ ଶର୍ମା ।

ଏହାଛଡା ଆନନ୍ଦ ଆହୁରି କହିଛନ୍ତି-ମୋଦି ସରକାରଙ୍କ ସମସ୍ତ ଭୁଲକୁ ବିଜେଡି ଜାଣିଶୁଣି ସମର୍ଥନ କରୁଛି । ଏପରିକି ବିଜେପି ଦଳ ମଧ୍ୟ ଅନୁଭବ କଲାଣି ଯେ, ଆଗାମୀ ୨୦୧୯ ନିର୍ବାଚନରେ ସରକାର ଗଠନ ପାଇଁ ଆବଶ୍ୟକୀୟ ସଂଖ୍ୟା ହାସଲ କରି ପାରିବ ନାହିଁ ଦଳ । ତେଣୁ ଏବେଠାରୁ ବିଜେଡିକୁ ନିଜ ସପକ୍ଷରେ ନେବା ପାଇଁ ବିଭିନ୍ନ ଆଡୁ ଚାପ ପକାଉଛି ବିଜେପି । ଯାହାର ଝଲକ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଦେଖିବାକୁୂ ମିଳିଥିଲା । ଆସନ୍ତା ୨୦୧୯ ନିର୍ବାଚନରେ ଲୋକ ଏହାର ଜବାବ୍ ଦେବେ ବୋଲି କହିଛନ୍ତି ।

ଆନନ୍ଦ ଶର୍ମାଙ୍କ ଏଭଳି ଅଭିଯୋଗର ପ୍ରତିକ୍ରିୟା ରଖିଛି ବିଜୁ ଜନତା ଦଳ । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଯେଉଁ ବିଷୟରେ ରାଷ୍ଟ୍ର ନିର୍ମାଣ ଓ ପ୍ରଗତି ହୋଇପାରିବ ତାହାକୁ ବିଜେଡି ସବୁବେଳେ ସମର୍ଥନ କରିଛି । ସେ ଏନଆରସି ପ୍ରସଙ୍ଗ ହେଉ ଅବା ଜିଏସଟି ପ୍ରସଙ୍ଗ ହେଉ । ଏପରିକି କଂଗ୍ରେସ ମଧ୍ୟ ଜିଏସଟି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିଥିଲା । ତେବେ କଂଗ୍ରେସର କଣ ବିଜେପି ସହ ସର୍ମ୍ପକ ରହିଛି ବୋଲି ବିଜେଡି ପ୍ରଶ୍ନ କରିଛି ।