ରାଜସ୍ଥାନ ମରୁଭୂମିରେ ଝାଉଁଳି ପଡିଲା ପଦ୍ମ, ୫ ବର୍ଷ ପରେ ହାତ ଟେକିଲା କଂଗ୍ରେସ !

448

କନକ ବ୍ୟୁରୋ : ରାଜସ୍ଥାନରେ ବୁଥ୍ ବାହୁଡ଼ା ମତ କରିଥିବା ପୂର୍ବାନୁମାନ ଭଳି କଂଗ୍ରେସକୁ ସଫଳତା ମିଳିନାହିଁ ସତ, କିନ୍ତୁ ସରକାର ଗଢ଼ିବା ପାଇଁ ଯେତିକି ସଂଖ୍ୟା ଆବଶ୍ୟକ, ତାର ପାଖାପାଖି ପହଁଚିଛି କଂଗ୍ରେସ । ୨୦୦ ଆସନରୁ ୧୯୯ ଆସନରେ ଭୋଟ ପଡିଥିବା ବେଳେ କଂଗ୍ରେସ ଖାତାକୁ ଯାଉଛି ୧୦୦ରୁ ଅଧିକ ସିଟ୍ । ପ୍ରାୟ ୭୩ଟି ସିଟରେ ସନ୍ତୁଷ୍ଟ ରହିବାକୁ ପଡ଼ିପାରେ ବିଜେପିକୁ । ତେବେ ବିଏସପି ଓ ଅନ୍ୟମାନଙ୍କ ଖାତାକୁ ଯାଇପାରେ ୨୫ଟି ଆସନ । ମଧ୍ୟପ୍ରଦେଶ ଭଳି ରାଜସ୍ଥାନରେ ସରକାର ବିରୋଧୀ ହାୱା ସ୍ପଷ୍ଟ ବାରିହେଉଛି । ଶିବରାଜ ସିଂ ଚୌହାନଙ୍କ ଭଳି ବସୁନ୍ଧରା ରାଜେ ସିନ୍ଧିଆଙ୍କ ଉପରୁ ମଧ୍ୟ ଆସ୍ଥା ତୁଟିଯାଇଥିବା ଜଣାପଡୁଛି ।

ରାଜସ୍ଥାନରେ ୫ ବର୍ଷରେ ସରକାର ପରିବର୍ତ୍ତନର ଯେଉଁ ପରମ୍ପରା ରହିଛି ଚଳିତ ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିଛି । ବସୁନ୍ଧରା ରାଜେଙ୍କୁ ରାଜକୁ ଶେଷ କରି ବଡ ଦଳ ଭାବେ ଉଭା ହୋଇଛି କଂଗ୍ରେସ । ତେବେ ରାଜସ୍ଥାନରେ କଂଗ୍ରେସର ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଦୁଇ ହେଭିୱେଟ ସଚିନ ପାଇଲଟ ଓ ଅଶୋକ ଗେହଲଟଙ୍କ ନାଁକୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି । କିନ୍ତୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରିବାରେ କୌଣସି ଅସୁବିଧା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ରାହୁଲ । ତେବେ ଆସନ୍ତାକାଲି ବିଧାୟକ ଦଳ ବୈଠକ ପରେ ରାଜସ୍ଥାନର ମଙ୍ଗ କିଏ ଧରିବ ତାହା ଜଣାପଡିବ । ସବୁଠୁ ବଡ କଥା ହେଉଛି, ଆଜିକୁ ରାହୁଲ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ନେବାର ଗୋଟିଏ ବର୍ଷ ପୁରିଛି । ତେଣୁ ଛତିଶଗଡ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କଂଗ୍ରେସର ବିଜୟ ରାହୁଲ ଗାନ୍ଧିଙ୍କ ପାଇଁ ଏକ ବଡ ଗିଫ୍ଟ ବୋଲି କହିଛନ୍ତି କଂଗ୍ରେସ କର୍ମୀ ।