କେବଳ ଆବେଦନ କରିଦେଲେ ମିଳିଯିବନି କଂଗ୍ରେସ ଟିକେଟ୍ । ପୂରଣ କରିବାକୁ ପଡ଼ିବ ସର୍ବନିମ୍ନ ଆବଶ୍ୟକତା, ପ୍ରାର୍ଥୀ ଚୟନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରକ୍ରିୟା ଆରମ୍ଭ

165

କନକ ବ୍ୟୁରୋ : ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ, ପ୍ରାର୍ଥୀ ଚୟନ ପ୍ରକିୟାକୁ ବେଶ ଆଗରୁ ଆରମ୍ଭ କରିସାରିଛି । ପ୍ରାର୍ଥୀ ଚୟନରେ ସ୍ୱଚ୍ଛତାକୁ ପ୍ରାଧାନ୍ୟ ଦେବା ପାଇଁ ପ୍ରଗମନ ଆପ୍ ଜରିଆରେ ଆଶାୟୀଙ୍କ ଆବେଦନ ଗ୍ରହଣ କରାଯାଉଛି । ବଡ଼ କଥା ହେଉଛି କଂଗ୍ରେସ ଟିକେଟ ପାଇଁ ଆଶାୟୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଯାଇଛି । କିନ୍ତୁ କଂଗ୍ରେସ ଟିକେଟ ମିଳିବା ଏତେ ସହଜ ହେବ ନାହିଁ । ପ୍ରାର୍ଥୀ ଚୟନ ଚୁଡ଼ାନ୍ତ କରିବା ପୂର୍ବରୁ କଂଗ୍ରେସର ରହିଛି କିଛି ସର୍ବନିମ୍ନ ଆବଶ୍ୟକତା ।
ସର୍ବନିମ୍ନ ଆବଶ୍ୟକତା
– ବିଧାନସଭା ପାଇଁ ଟିକେଟ ଆଶାୟୀଙ୍କୁ ସର୍ବନିମ୍ନ ୩ଶହ ଜଣଙ୍କୁ ପ୍ରଗମନ ଆପରେ ଯୋଡ଼ିବାକୁ ପଡ଼ିବ
– ଏହି ୩ଶହ ଜଣ ସମର୍ଥକ, ଗୋଟିଏ ଟିମ ଭଳି କାମ କରିବେ
– ଲୋକସଭା ପାଇଁ ଟିକେଟ ଆଶାୟୀଙ୍କୁ ସର୍ବନିମ୍ନ ୭ଶହ ଜଣଙ୍କୁ ପ୍ରଗମନ ଆପରେ ଯୋଡ଼ିବାକୁ ପଡ଼ିବ
– ଲୋକସଭା ଅଧିନରେ ଆସୁଥିବା ୭ଟି ଲେଖାଏଁ ବିଧାନସଭାରୁ ଏହି ୭ଶହ ଜଣ ଯୋଡ଼ିବାକୁ ପଡ଼ିବ
– ପ୍ରତି ବିଧାନସଭା କ୍ଷେତ୍ରରୁ ସର୍ବନିମ୍ନ ଶହେ ଜଣ ସମର୍ଥକ ହୋଇଥିବା ଜରୁରୀ

ପ୍ରଥମ ପର୍ଯ୍ୟାୟ ଆବେଦନ ପରେ ଦିଲ୍ଲୀରେ କଂଗ୍ରେସର ସ୍କ୍ରିନିଂ କମିଟି ବୈଠକରେ ପ୍ରାର୍ଥୀ ଚୟନ ନେଇ ଚର୍ଚ୍ଚା ହୋଇଛି । ତେବେ ଟିକେଟ୍ ଘୋଷଣା ପୂର୍ବରୁ ଦ୍ୱିତୀୟ ପର୍ଯ୍ୟାୟ କସରତ ଆରମ୍ଭ ହୋଇଛି । ଆଉ ଏଥିପାଇଁ କିଛି ସର୍ବନିମ୍ନ ଆବାଶ୍ୟକତା ରଖାଯାଇଛି । ଏହା ପୂରଣ ନକଲେ ଆବେଦନ ସତ୍ୱେ ଟିକେଟ ମିଳିବା କଷ୍ଟକର ହେବ ବୋଲି କଂଗ୍ରେସ କହିଛି ।

ପ୍ରଗମନ ଆପ୍ ଜରିଆରେ ବିଧାନସଭାର ୧୪୭ ଆସନ ପାଇଁ ପ୍ରାୟ ୩ହଜାର ଏବଂ ୨୧ ଲୋକସଭା ଆସନ ପାଇଁ ପ୍ରାୟ ୭ଶହ ଆବେଦନ ହୋଇଥିବା କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ ଦିଲ୍ଲୀରେ କଂଗ୍ରେସର ପରବର୍ତୀ ସ୍କ୍ରିନିଂ କମିଟି ବୈଠକ ପରେ ଚୁଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ ।