ଦିଲ୍ଲୀରେ କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟିବା ପରେ କୁମାରସ୍ୱାମୀ ମନ୍ତ୍ରିମଣ୍ଡଳର ରୂପରେଖ ନେଇ ଆରମ୍ଭ ହେଲା ପ୍ରକ୍ରିୟା : ଦୁଇ ଉପମୁଖ୍ୟମନ୍ତ୍ରୀ ସହ କଂଗ୍ରେସକୁ ମିଳିପାରେ ବାଚସ୍ପତି ପଦ

38

କନକ ବ୍ୟୁରୋ : ଦିଲ୍ଲୀରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଜେଡିଏସ ମୁଖ୍ୟ କୁମାରସ୍ୱାମୀ ଭେଟିଛନ୍ତି । ଏହାପରେ କର୍ଣ୍ଣାଟକରେ ମନ୍ତ୍ରିମଣ୍ଡଳର ରୂପରେଖ ସ୍ଥିର କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । କର୍ଣ୍ଣାଟକ ଦାୟିତ୍ୱରେ ଥିବା କଂଗ୍ରେସ ନେତା କେସି ବେଣୁଗୋପାଳଙ୍କୁ ଆଲୋଚନା ପାଇଁ ଦାୟିତ୍ୱ ଦେଇଛନ୍ତି ରାହୁଲ ଗାନ୍ଧି । ହେଉଥିବା ଚର୍ଚ୍ଚା ଅନୁସାରେ ଆସନ୍ତାକାଲି କେବଳ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କୁମାରସ୍ୱାମୀ । ଏହାର ୨୪ ଘଂଟା ଭିତରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ନୂଆ ମୁଖ୍ୟମନ୍ତ୍ରୀ । ବହୁମତ ସାବ୍ୟସ୍ତ କରିବା ପରେ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟ ଶପଥ ନେବା ସମ୍ଭାବନା ରହିଛି । ତେବେ ହେଉଥିବା ଚର୍ଚ୍ଚା ଅନୁସାରେ କଂଗ୍ରେସକୁ ଉପମୁଖ୍ୟମନ୍ତ୍ରୀ ଓ ବାଚସ୍ପତି ପଦ ମିଳିପାରେ । ୭୮ ବିଧାୟକ ଓ ଦୁଇ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ଥିବା କଂଗ୍ରେସକୁ କର୍ଣ୍ଣାଟକ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିବା ସମ୍ଭାବନା ପ୍ରକାଶ ପାଇଛି ।

ଗତକାଲି କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ଭେଟିବା ପରେ କର୍ଣ୍ଣାଟକ କଂଗ୍ରେସ ଦାୟିତ୍ୱରେ ଥିବା କେ.ସି ବେଣୁଗୋପାଳଙ୍କୁ ଦାୟିତ୍ୱ ଦେଇଛନ୍ତି ରାହୁଲ ଗାନ୍ଧି । ସେପଟେ କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି । ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବାକୁ ଉଭୟ ସହମତି ପ୍ରକାଶ କରିଥିବା ନେଇ ସୂଚନା ଦେଇଛନ୍ତି କର୍ଣ୍ଣାଟକର ଭାବି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ । କଂଗ୍ରେସର ନିଃସର୍ତ୍ତ ସମର୍ଥନରେ କୁମାରସ୍ୱାମୀ କର୍ଣ୍ଣାଟକର ୨୫ତମ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବାବେଳେ କଂଗ୍ରେସକୁ କ୍ୟାବିନେଟରେ ସିଂହଭାଗ ମିଳିବା ସମ୍ଭାବନା ରହିଛି ।