ଶିବସେନା ଓ କଙ୍ଗନାଙ୍କ ମଧ୍ୟରେ ବିବାଦ : ମହାରାଷ୍ଟ୍ରରେ କ୍ଷମତା ହରାଉଛି କି କଂଗ୍ରେସ ?

952

କନକ ବ୍ୟୁରୋ : ମହାରାଷ୍ଟ୍ର ମେଣ୍ଟ ସରକାରରେ ସାମିଲ କଂଗ୍ରେସ ଅନେକ ଦ୍ୱନ୍ଦ୍ୱ ପରିସ୍ଥିତି ଦେଇ ଗତି କରୁଛି । ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଓ ଶିବସେନା ମଧ୍ୟରେ ବିବାଦ ଏହା ମଧ୍ୟରେ ପୂର୍ବ ନୌସେନା ଅଧିକାରୀଙ୍କୁ ମାଡ ଘଟଣାରେ ଅସନ୍ତୁଷ୍ଟ କଂଗ୍ରେସ । ହେଲେ ମେଣ୍ଟ ସରକାରରେ କଂଗ୍ରେସର ପାଟି ଚୁପ୍ ହୋଇଯାଇଛି । ଏଭଳି ପରିସ୍ଥିତିରେ କଂଗ୍ରେସର ରାଜନୈତିକ କ୍ଷମତା ମହାରାଷ୍ଟ୍ରରୁ କମି ଯାଉଛି ବୋଲି କୁହାଯାଉଛି ।

ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ମହାରାଷ୍ଟ୍ରରେ ସରକାର ଗଠନ ହେବା ପରେ କଂଗ୍ରେସ ତୁଳନାରେ ଏନସିପିକୁ ଅଧିକ ଗୁରୁୁତ୍ୱ ମିଳୁଛି । ଉଦ୍ଧବ ଠାକରେ ଓ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ମଧ୍ୟରେ ଅନେକ କଥା ବନ୍ଦ କବାଟ ମଧ୍ୟରେ ହୋଇ ଥାଏ, ଯାହା କଂଗ୍ରେସର ମନ୍ତ୍ରୀମାନେ ଜାଣିପାରିନଥାନ୍ତି ।

ରାଉତ୍ ଙ୍କ ବାବରି ମସଜିଦ ଭାଙ୍ଗିବା ବୟାନରେ ଅସନ୍ତୁଷ୍ଟ କଂଗ୍ରେସ
ଶିବସେନା ପ୍ରବକ୍ତା ସଞ୍ଜୟ ରାଉତ୍ ଙ୍କ ବାବରି ମସଜିଦ ଭାଙ୍ଗିବା ବୟାନ ଉପରେ ମଧ୍ୟ ଅସନ୍ତୁଷ୍ଟ ଅଛନ୍ତି କଂଗ୍ରେସର ନେତା । ଅଫିସ ଭାଙ୍ଗିବା ପରେ କଙ୍ଗନା ଟ୍ୱିଟ୍ କରି ଶିବସେନାକୁ ବାବର ସେନା କହିଥିଲେ୍ । ଏହାପରେ ସଞ୍ଜୟ ରାଉତ୍ କହିଥିଲେ ଯେ, ଶିବସେନାଙ୍କୁ ବାବର ସେନା କହିବା ପୂର୍ବରୁ ଜାଣି ରଖିବା ଦରକାର ଯେ ଆମେ ସେହି ଲୋକ ଯିଏ ବାବରି ମସଜିଦ ଭାଙ୍ଗିଥିଲୁ । ରାଉତ୍ ଙ୍କ ଏହି ବୟାନ ପରେ କଂଗ୍ରେସ ମନ୍ତ୍ରୀମାନେ ଅସନ୍ତୁଷ୍ଟ ରହିଛନ୍ତି ।

ବିଭାଗୀୟ ପାଣ୍ଠିରେ ଭେଦଭାବ
ମହା ବିକାଶ ଅଗାଡି ସରକାରରେ ବିଭାଗୀୟ ପାଣ୍ଠି ବିଷୟରେ ଭେଦଭାବ ମଧ୍ୟ ସାମ୍ନାକୁ ଆସିଛି । ନିକଟରେ ରାଜ୍ୟ ବିଧାନସଭାର ଦୁଇ ଦିନିଆ ମୌସୁମୀ ଅଧିବେସନ ଅନୁଷ୍ଠିତ ହୋଇଥିଲା । ଅଧିବେଶନରେ ୨୯ ହଜାର ୮୪ କୋଟିର ଏକ ବିଲକୁ ମଞ୍ଜୁରୀ ଦିଆଯାଇଥିଲା । କିନ୍ତୁ ଏହା ଶିବସେନା ଓ ଏନସିପି ମନ୍ତ୍ରୀଙ୍କୁ ନେଇ ହୋଇଥିଲା ।

ଦେଶରେ ବିଜେପି ସରକାର ଆସିବା ପରେ କଂଗ୍ରେସ ତାର ସତ୍ତ୍ୱା ହରାଇ ବସିଲାଣି । ମହାରାଷ୍ଟ୍ରରେ ମେଣ୍ଟ ସରକାର ଗଠନ ହୋଇଥିଲେ ମଧ୍ୟ କଂଗ୍ରେସ ଏହାର ଫାଇଦା ନେଇ ପାରୁନାହିଁ ବରଂ ଶିବସେନା କଂଗ୍ରେସ ସହ ଭେଦଭାବ କରୁଥିବା ଅଭିଯୋଗ ହେଉଛି । ମହାରାଷ୍ଟ୍ର କଂଗ୍ରେସ ନେତା ସଞ୍ଜୟ ନିରୁପମ୍ ହେଉଛନ୍ତି ଏକମାତ୍ର ଯିଏକି ଶିବସେନା ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି । କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିବା ଘଟଣା ଉପରେ ସେ ତିବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଏହାସହ ସେ ଶିବସେନାକୁ ଗୁଣ୍ଡା ପାର୍ଟି ବୋଲି କହିଥିଲେ । ହେଲେ ଦଳର ଅନ୍ୟ ନେତାମାନେ ପଦବୀ ପାଇଁ ଚୁପ ରହିଛନ୍ତି ।