କଂଗ୍ରେସକୁ କେରଳ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ । କହିଲେ, କେଜ୍ରିୱାଲଙ୍କ ଗିରଫ ପାଇଁ କଂଗ୍ରେସ ହିଁ ଦାୟୀ ।

321

କନକ ବ୍ୟୁରୋ: କଂଗ୍ରେସକୁ କେରଳ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ । ପିନାରାଇ ବିଜୟନ କହିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରୀରୁ କଂଗ୍ରେସ ଉଚିତ୍ ଶିକ୍ଷା ଶିଖିବା ଦରକାର । ଲୋକସଭା ନିର୍ବାଚନରେ ବିଜେପିକୁ ମାତ୍ ଦେବା ପାଇଁ କଂଗ୍ରେସ ବିରୋଧୀ ଇଣ୍ଡିଆ ମଙ୍ଗ ଧରିଥିବା ବେଳେ ଏହାର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି ପିନାରାଇ ବିଜୟନ । କେଜ୍ରିୱାଲଙ୍କ ଗିରଫକୁ ନେଇ କଂଗ୍ରେସ ଏବେ କୁମ୍ଭୀର କାନ୍ଦଣା କାନ୍ଦୁଥିବା ବେଳେ ଏହି ଗିରଫଦାରୀ ପାଇଁ ପରୋକ୍ଷରେ କଂଗ୍ରେସ ହିଁ ଦାୟୀ ବୋଲି କେରଳ ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି । ଦିଲ୍ଲୀ ମଦ ଦୁର୍ନୀତି ନେଇ କେଜ୍ରିୱାଲଙ୍କ ବିରୋଧରେ ପ୍ରଥମେ କଂଗ୍ରେସ ହିଁ ପୋଲିସ ନିକଟରେ ଅଭିଯୋଗ କରିଥିଲା, ପରେ ଏହି ମାମଲାରେ ଏଂଟ୍ରି ମାରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଯେତେବେଳେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରାଯାଇଥିଲା ସେତେବେଳେ କଂଗ୍ରେସ ପ୍ରଶ୍ନ କରିଥିଲା କେଜ୍ରିୱାଲଙ୍କୁ କାହିଁକି ଗିରଫ କରାଯାଉନି ବୋଲି । ଶେଷରେ ଯେତେବେଳେ କେଜ୍ରିୱାଲଙ୍କୁ ଇଡି ଗିରଫ କରିଥିଲା ସେତେବେଳ କଂଗ୍ରେସ ନିଜର ମତ ବଦଳାଇଛି । କଂଗ୍ରେସ ଏହି ପ୍ରସଙ୍ଗରେ ନିଜର ଭୁଲ ନିଷ୍ପତି ନେଇ ସତ ମାନିବା ଦରକାର ବୋଲି ପିନାରାଇ ବିଜୟନ କହିଛନ୍ତି । ସେପଟେ ରବିବାର ଦିଲ୍ଲୀ ରାମଲୀଳା ମୈଦାନରେ ବିରୋଧୀ ଇଣ୍ଡିଆ ମେଣ୍ଟର ମହାରାଲି ଦେଖି ଏନଡିଏ ଭୟଭୀତ ହୋଇଥିବା କହିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ।