କେନ୍ଦ୍ର ସରକାରଙ୍କ ବିରୋଧରେ ଆଜି କଂଗ୍ରେସର ଆକ୍ରାତ୍ମକ ଯୋଜନା । ବରିଷ୍ଠ ନେତାଙ୍କ ସହ ଆଜି ସୋନିଆ ଗାନ୍ଧୀଙ୍କ ବୈଠକ । ପ୍ରିୟଙ୍କା କହିଲେ ଆଇନ ପ୍ରତ୍ୟାହାର ବ୍ୟତିତ ଅନ୍ୟ କିଛି କରାଯିବ ନାହିଁ ସ୍ୱୀକାର

167

କନକ ବ୍ୟୁରୋ : କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀ ଆଜି ପାର୍ଟିର ବରିଷ୍ଠ ନେତା ମାନଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ଏହି ବୈଠକରେ କୃଷକ ଆନ୍ଦୋଳନକୁ ନେଇ ଆଗାମୀ ରଣନୀତି କ’ଣ ରହିବ ତା ଉପରେ ଆଲୋଚନା ହେବ ବୋଲି ସୂଚନା ମିଳିିଛି । ଗତକାଲି କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ହୋଇଥିବା ଅଷ୍ଟମଥର ଆଲୋଚନାରେ କିଛି ନିଷ୍କର୍ସ ବାହାରିପାରି ନାହିଁ । ଏନେଇ ଆଗାମୀ ରଣନୀତି କଣ ରହିବ ତା ଉପରେ ଆଜି ଦଳର ବରିଷ୍ଠ ନେତା ମାନଙ୍କ ସହିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଡି ହେବେ ସୋନିଆ ଗାନ୍ଧୀ ।

ଦଳର ସୂଚନା ମୁତାବକ ଆଜିର ବୈଠକରେ କୃଷକ ଆନ୍ଦୋଳନ ପ୍ରସଙ୍ଗରେ ମୁଖ୍ୟତ ଆଲୋଚନା ହେବ । କୃଷକ ମାନେ ଦେଢମାସ ଧରି ଅତ୍ୟାଧିକ ଥଣ୍ଡାରେ ଯେଭଳି ଭାବେ ଖୋଲା ଆକାଶ ତଳେ ବସି ଆନ୍ଦୋଳନ ଚଳାଇଛନ୍ତି ତାହାକୁ କିଭଳି ସମାପ୍ତ କରାଯିବ ଓ କୃଷକ ମାନେ ସେମାନଙ୍କ ହକ୍ ଆଦାୟ କରି କଭଳି ନିଜ ନିଜର ଘରକୁ ଫେରିବେ ସେନେଇ ରଣନୀତି ପ୍ରସ୍ତୁତ କରାଯିବ ।

କହିରଖୁ କି କୃଷକ ଆନ୍ଦୋଳନ ଆରମ୍ଭରୁ କଂଗ୍ରେସ କୃଷକ ମାନଙ୍କ ସମର୍ଥନରେ ତା’ର ଆଭିମୁଖ୍ୟ ସ୍ପଷ୍ଟ କରିଛି । ଏହାସହ କୃଷକ ମାନଙ୍କର ସମସ୍ୟା ସମାଧାନ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଫଳ ଓ ପୁଞ୍ଜିପତି ମାନଙ୍କ ସପକ୍ଷରେ ରହି ପ୍ରଧାନମନ୍ତ୍ରୀ କୃଷକ ମାନଙ୍କୁ ନିଜର ଅହଂକାର ଦେଖାଉଥିବା କଥା ସୋନିଆ ଗାନ୍ଧୀ କହି ସାରିଛନ୍ତି । ଏହା ସହ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କ ଉର୍ଦ୍ଦେଶ୍ୟରେ କହିଥିଲେ କି ମୋଦିଜୀ ତୁରନ୍ତ କୃଷି କାନୁନକୁ ପ୍ରତ୍ୟାହାର କରି ତାଙ୍କର ରାଜଧର୍ମ ପାଳନ କରନ୍ତୁ ।

ଏକ ଜାତୀୟ ଗଣମାଧ୍ୟମ ସୂଚନା ମୁତାବକ କଂଗ୍ରେସ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ବିରୋଧରେ ଆକ୍ରାତ୍ମକ ଯୋଜନା ପ୍ରସ୍ତୁତ କରୁଛି । ଏନେଇ ଶୁକ୍ରବାର ଦିନ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ କହିଥିଲେ କି ନୂଆ କୃଷି ଆଇନରେ ଥିବା ୩ ଟି ଧାରାକୁ ନିରସ୍ତ୍ର ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ।

କହିରଖୁ କି ଶୁକ୍ରବାର ଦିନ କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଛି । କୃଷକ ସଂଗଠନ ମାନେ କୃଷି ଆଇନକୁ ସମ୍ପୁର୍ଣ୍ଣ ପ୍ରତ୍ୟାହାର ଓ ଏମଏସପିକୁ ଆଇନସିଦ୍ଧ କରିବା ଦାବିରେ ପୂର୍ବଭଳି ଅଟଳ ରହିଥିବା ବେଳେ ସରକାର ଆଇନରେ ସଂଶୋଧନ ଆଣିବା ପ୍ରସ୍ତାବ ଉପରେ ଅଟଳ ରହିଥିଲେ । ଏନେଇ ପୁଣିଥରେ ଚଳିତ ମାସ ୧୫ ତାରିଖରେ ଆଲୋଚନା ହେବ ବୋଲି କୂୁହାଯାଇଛି ।