କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦୀ କର୍ଣ୍ଣାଟକ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ବେଙ୍ଗାଲୁରୁ-ମହୀଶୂର ଏକ୍ସପ୍ରେସ ୱେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଏହାସହ ଏକ ଜନସଭାକୁ ସମ୍ବୋଧିତ କରି କଂଗ୍ରେସ ଉପରେ ବର୍ଷିବାକୁ ଆଦୌ ଭୁଲିନାହାନ୍ତି । ଜନସଭାରେ ମୋଦୀ କହିଛନ୍ତି, କଂଗ୍ରେସ ଓ ସେମାନଙ୍କର ସାଥୀ ମୋଦୀଙ୍କ କବର ଖୋଳିବାରେ ବ୍ୟସ୍ତ ଅଛନ୍ତି କିନ୍ତୁ ମୋଦୀ ବେଙ୍ଗାଲୁରୁ-ମହୀଶୂର ଏକ୍ସପ୍ରେସ ୱେ ନିର୍ମାଣ କରିବାରେ ବ୍ୟସ୍ତ ଅଛନ୍ତି । କଂଗ୍ରେସ ମୋଦୀଙ୍କ କବର ଖୋଳିବାରେ ବ୍ୟସ୍ତ କିନ୍ତୁ ମୋଦୀଙ୍କ ଗରିବଙ୍କ ଜୀବନକୁ ସହଜ କରିବାରେ ବ୍ୟସ୍ତ ଅଛନ୍ତି । ମୋଦୀଙ୍କ କବର ଖୋଳିବାର ସ୍ୱପ୍ନ ଦେଖୁଥିବା କଂଗ୍ରେସକୁ ଏହା ଜଣା ନାହିଁ ଯେ, ଦେଶର କୋଟି କୋଟି ମା ଓ ଭଉଣୀଙ୍କ ଆଶୀର୍ବାଦ ମୋଦୀଙ୍କର ସବୁଠୁ ବଡ ସୁରକ୍ଷାକବଚ ।

Advertisment


ଏହାସହ କଂଗ୍ରେସ ଟାର୍ଗେଟ କରି ମୋଦୀ କହିଛନ୍ତି, ୨୦୧୪ ପୂର୍ବରୁ କେନ୍ଦ୍ରରେ କଂଗ୍ରେସ ସରକାର ଥିଲା । ସେତେବେଳେ ଗରିବଙ୍କ ଜୀବନ ଦୁର୍ବିସହ କରିବାର କୌଣସି ସୁଯୋଗ ହାତଛଡା କରିନଥିଲା କଂଗ୍ରେସ । ଯେଉଁ ଟଙ୍କା ଗରିବଙ୍କ ବିକାଶ ପାଇଁ ଥିଲା ତାହାକୁ ଲୁଟି ନେଉଥିଲା କଂଗ୍ରେସ ସରକାର । କଂଗ୍ରେସକୁ କେବେ ବି ଗରିବଙ୍କ ଦୁଃଖର ଫରକ ପଡେନି । ଚାଷୀଙ୍କର ଛୋଟ ଛୋଟ ସମସ୍ୟାର ସମାଧାନ କରୁଛି ବିଜେପି । ଗତ ୯ ବର୍ଷରେ ସରକାରଙ୍କ ବିଭିନ୍ନ ଯୋଜନା କୋଟି କୋଟି ଗରିବଙ୍କ ଜୀବନକୁ ସହଜ କରିଛି । କଂଗ୍ରେସ ସମୟରେ ସରକାରୀ ସୁବିଧା ପାଇଁ ଗରିବଙ୍କୁ ବାର ଦୁଆର ହେବାକୁ ପଡୁଥିଲା । କିନ୍ତୁ ଏବେ ସେ ସ୍ଥିତି ନାହିଁ । ଏଭଳି କହି ମୋଦୀ କେବଳ କଂଗ୍ରେସକୁ ଟାର୍ଗେଟ କରିନାହାନ୍ତି ବରଂ ନିଜ ସରକାରର ସଫଳତା ଲୋକଙ୍କ ସାମ୍ନାରେ ରଖିଛନ୍ତି ।