ବିହାର ପରାଜୟ ପରେ ପଦାରେ କଂଗ୍ରେସର ଅନ୍ତରୀଣ କନ୍ଦଳ । କପିଲ ସିବଲ ଓ ଚିଦାମ୍ବରମଙ୍କ ପରେ ମୁହଁ ଖୋଲିଲେ ଗୁଲାମ ନବୀ ଆଜାଦ । କହିଲେ, ଫାଇଭ ଷ୍ଟାର ହୋଟେଲରୁ ଲଢାଯାଏନି ନିର୍ବାଚନ 

127

କନକ ବ୍ୟୁରୋ : ପଦାରେ ପଡିଲା କଂଗ୍ରେସ କନ୍ଦଳ । ବିହାର ପରାଜୟ ପରେ କଂଗ୍ରେସର କଳି ବଢିବାରେ ଲାଗିଛି । ବରିଷ୍ଠ ନେତାଙ୍କ ଆରୋପ ପ୍ରତ୍ୟାରୋପ ରାଜନୀତି ଉଷ୍ମ ହେଉଛି । ଦଳର ବରିଷ୍ଠ ନେତା କପିଲ ଶିବଲଙ୍କ ପରେ ପି ଚିଦାମ୍ବରମଙ୍କ ପରେ ଏବେ ମୁହାଁ ଖୋଲିଛନ୍ତି ଦଳର ଅନ୍ୟତମ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ । ଦଳର ରଣନୀତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।  ଫାଇଭ ଷ୍ଟାରରେ ବସି ନିର୍ବାଚନ ଲଢାଯାଏ ନାହିଁ ବୋଲି ସିଧାସଳଖ କହିଛନ୍ତି ଗୁଲାମ ନବୀ ।

କଂଗ୍ରେସର ଭିଆଇପି କଲଚର ଉପରେ ପ୍ରଶ୍ନ ଉଠାଇବା ସହ ଦଳ ସବୁଠୁ ଦୁର୍ବଳ ସ୍ତରରେ କହିଛନ୍ତି କଂଗ୍ରେସର ଏହି ବରିଷ୍ଠ ନେତା । ତେବେ କଂଗ୍ରେସର ଶୀର୍ଷ ନେତୃତ୍ୱକୁ କ୍ଲିନଚିଟ ଦେଇଥିବା ବେଳେ ବ୍ଲକ ଓ ଜିଲ୍ଲା ସ୍ତରରେ ସାଧାରଣ ଲୋକଙ୍କ ସହ ଦୂରତା ବଢିଥିବା କହିଛନ୍ତି ।

ସେପଟେ ଏହାର ଜବାବ ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ତାରିକ ଅନୱର । ଦଳର ସମସ୍ୟାକୁ ସର୍ବସାଧାରଣ କଲେ ଏହାର ସମାଧାନ ହେବ ନାହିଁ ବରଂ ସମସ୍ତେ ମିଳିମିଶି ଏନେଇ ଆଲୋଚନା କଲେ ଫଳ ବାହାରିବ ବୋଲି କହିଛନ୍ତି ।

ପୂର୍ବରୁ ଦଳର ବରିଷ୍ଠ ନେତା ପି .ଚିଦାମ୍ବରମ କହିଥିଲେ ଯେ, ନିକଟରେ ସରିଥିବା ନିର୍ବାଚନ ଫଳାଫଳରୁ ଦଳର ଭିତ୍ତିଭୂମି ଓ ତୃଣମୂଳସ୍ତରର ସଙ୍ଗଠନ ଦୁର୍ବଳ ହୋଇପଡିଥିବା ସ୍ପଷ୍ଟ ହୋଇଛି । ଏବଂ ଦଳ ବାରମ୍ବାର ବିପର୍ଯ୍ୟୟର ସମ୍ମୁଖୀନ କାହିଁକି ହେଉଛି, ତାର ତର୍ଜମା କରାଯିବା ଦରକାର ବୋଲି କହିଥିଲେ ପି.ଚିଦାମ୍ବରମ ।

ସେହିପରି  କପିଲ ଶିବଲ କହିଥିଲେ ଯେ, କଂଗ୍ରେସ ଦଳ ସଂପ୍ରତି ବିକଳ୍ପ ରାଜନୈତିକ ଶକ୍ତି ଭାବେ ଲୋକଙ୍କ ପସନ୍ଦ ହରାଇଛି । ନିକଟରେ ଶେଷ ହୋଇଥିବା ବିହାର ନିର୍ବାଚନରେ କଂଗ୍ରେସ ଲଢୁଥିବା ୭୦ଟି ଆସନରୁ ମାତ୍ର ୧୯ଟି ଆସନରେ ବିଜୟୀ ହୋଇଥିଲା । ଏହା ସହ ଅନ୍ୟ ରାଜ୍ୟ ହୋଇଥିବା ଉପନିର୍ବାଚନରେ ମଧ୍ୟ କଂଗ୍ରେସ ବିଫଳ ରହିଛି । ଏପରି ସ୍ଥିତିରେ ଦଳୀୟ କନ୍ଦଳ ଏବେ ପଦାରେ ପଡିବାକୁ ଲାଗିଛି ।