କନକ ବ୍ୟୁରୋ : ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବାକୁ ଦାବି, ପୁରୀରେ କଂଗ୍ରେସର ପ୍ରତିବାଦ । ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ତାରା ବାହୀନିପତି, ପୁରୀ ଜିଲ୍ଲା କଂଗ୍ରେସ ସଭାପତିଙ୍କ ସମେତ ଦଳୀୟ କର୍ମୀ ଏକାଠି ହୋଇ ଚାରିଦ୍ୱାର ଖୋଲିବାକୁ ଦାବି କରିଛନ୍ତି । ଏଥି ସହିତ ରତ୍ନଭଣ୍ଡାରେ ଥିବା ରତ୍ନର ଗଣତି ଏବଂ ମରାମତି କାମ ଦାବି କରୁଛନ୍ତି । ପୁରୀ ଏବଂ ଖୋର୍ଦ୍ଧାରେ ଜଗନ୍ନାଥ ମହାପ୍ରଭୁଙ୍କ ଭୋଗ କରୁଥିବା ଜମିର ସ୍ଥାୟୀ ସମାଧାନ ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରତିବାଦ କରୁଛି କଂଗ୍ରେସ । ଗୁଣ୍ଡିଚା ମନ୍ଦିରଠୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଏକ ବିଶାଳ ଜନସମାବେଶର ଆୟୋଜନ ହୋଇଛି ।

Advertisment

ସେପଟେ ଶ୍ରୀମନ୍ଦିର ପ୍ରସଙ୍ଗରେ ବିଜେପି ମଧ୍ୟ ତତ୍ପରତା ଦେଖାଇଛି । ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି ରତ୍ନଭଣ୍ଡାର ଖୋଲିବା ଦାବିରେ ଗଜପତି ମହାରାଜାଙ୍କୁ ଭେଟିବେ ବୋଲି କହିଛନ୍ତି । ଅଗଷ୍ଟ ୪ ତାରିଖରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ଏଯାଏ କାହିଁକି କମିଟି ଗଠନ ହୋଇନି ବୋଲି ସେ ପ୍ରଶ୍ନ କରିଛନ୍ତି । ପୂର୍ବତନ ମୁଖ୍ୟ ବିଚାରପତି ଦୀପକ ମିଶ୍ର ଓ ଜିବି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଉ ବୋଲି ବିଜେପି ଦାବି କରିଛି । ଶୀଘ୍ର ରତ୍ନଭଣ୍ଡାର ଖୋଲିଲେ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦୂର ହେବ ବୋଲି ସମୀର ମହାନ୍ତି କହିଛନ୍ତି । ଦୀର୍ଘ ୪୫ ବର୍ଷ ହେବ ରତ୍ନଭଣ୍ଡାର ଖୋଲାଯାଇନି । ଯାହାକୁ ଖୋଲିବା ପାଇଁ ଏବେ ଦାବି ଜୋର ଧରିଛି ।