ସିଦ୍ଧୁଙ୍କ ଇସ୍ତଫା ନାମଞ୍ଜୁର, ମନାଇବାକୁ ଚନ୍ନୀଙ୍କୁ ଦାୟିତ୍ୱ

70

କନକ ବ୍ୟୁରୋ : ଗତକାଲି ପଞ୍ଜାବ କଂଗ୍ରେସ ପଦରୁ ଇସ୍ତଫା ଦେଇଥିବା ସିଦ୍ଧୁଙ୍କ ଇସ୍ତଫାପତ୍ର ଦଳର ହାଇକମାଣ୍ଡ ନାମଞ୍ଜୁର କରିଦେଇଛନ୍ତି । ଏହାସହ ସିଦ୍ଧୁଙ୍କର ଏଭଳି ଆଚରଣରେ ଅସନ୍ତୁଷ ପ୍ରକାଶ କରିଛନ୍ତି ଦଳର ହାଇକମାଣ୍ଡ । ଏନେଇ ସିଦ୍ଧୁଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି । ଅନ୍ୟପଟେ ସିଦ୍ଧୁ ତାଙ୍କର ଇସ୍ତଫା ପତ୍ର ଫେରାଇନେବାକୁ ଦଳ ପକ୍ଷରୁ ସମୟ ଦିଆଯାଇଛି । ଯଦି ସେ ଦଳର ହାଇକମାଣ୍ଡଙ୍କ କଥା ନମାନ୍ତି ତେବେ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ କଠୋର ହୋଇପାରେ ।

ଅନ୍ୟପଟେ ସିଦ୍ଧୁଙ୍କୁ ମନାଇବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣସିଂହ ଚନ୍ନୀଙ୍କ ଉପରେ ଦାୟିତ୍ୱ ଦେଇଛି ଦଳ । ଏହି ଦାୟିତ୍ୱ ପାଇବା ପରେ ଚନ୍ନୀ ଆଜି ବୈଠକ ଡାକିଛନ୍ତି । କୁହାଯାଉଛି କି ଚନ୍ନୀ ନିର୍ଦ୍ଦେଶ ଦେଇଛନ୍ତି ଆଜିର ବୈଠକରେ ଯେଉଁ ମନ୍ତ୍ରୀମାନେ ଯୋଗ ନଦେବେ ସେମାନଙ୍କ ଉପରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସିଦ୍ଧୁଙ୍କ ଇସ୍ତଫା ପରେ ପଞ୍ଜାବ କଂଗ୍ରେସରେ ହଟଚମଟ ସୃଷ୍ଟି ହୋଇଛି । ଚଣ୍ଡିଗଡରୁ ଦିଲ୍ଲୀ ପର୍ଯ୍ୟନ୍ତ ବୈଠକ ଚାଲିଛି । ଏହାସହ ଗତକାଲି ରାତିରେ ସିଦ୍ଧୁଙ୍କ ବାସଭବନରେ ଏକ ବୈଠକ ବି ହୋଇଛି । ଏହି ବୈଠକରେ ଅନେକ ମନ୍ତ୍ରୀ ଓ ବିଧାୟକ ସାମିଲ ହୋଇଥିବା ସୂଚନା ମିଳିଛି । ସେପଟେ ସିଦ୍ଧୁଙ୍କ ଇସ୍ତଫା ପରେ କ୍ୟାବିନେଟମନ୍ତ୍ରୀ ରାଜ୍ଜିଆ ସୁଲତାନାଙ୍କ ସମେତ ସରକାର ଓ ସଂଗଠନର ୪ ଜଣ ଇସ୍ତଫା ଦେଇ ସାରିଛନ୍ତି ।

 

ଚନ୍ନୀଙ୍କ ବୈଠକ ଆରମ୍ଭ ହୋଇସାରିଛି । ହେଲେ ଚନ୍ନୀ ଏବେ କେଉଁ ଧାରାରେ ଯାଇ ଏଭଳି ବିବାଦର ସମାଧାନ କରିବେ ତାହା ସ୍ପଷ୍ଟ ହୋଇ ନାହିଁ । ସେପଟେ ସିଦ୍ଧୁଙ୍କ ପାଇଁ ପଦ ହରାଇଥିବା କ୍ୟାପଟେନ ଅମରିନ୍ଦର ସିଂ ଏବେ ମଉକା ଦେଖି ଚଉକା ମାରିବା ଚକ୍କରରେ ଅଛନ୍ତି । ସେ ଦିଲ୍ଲୀ ଗସ୍ତରେ ଥିବା ବେଳେ ସିଦ୍ଧୁଙ୍କ ମାନସିକ ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।