ସହଯୋଗୀ ଦଳକୁ କଂଗ୍ରେସର ବଡ ସଂକେତ । ମୋଦିଙ୍କୁ କ୍ଷମତାରୁ ହଟାଇବାକୁ କଂଗ୍ରେସ ପ୍ରଧାନମନ୍ତ୍ରୀ ପଦ ତ୍ୟାଗ କରିବାକୁ ପ୍ରସ୍ତୁତ ।

1,022

ଆସନ୍ତା ୧୯ ତାରିଖରେ ଶେଷ ପର୍ଯ୍ୟାୟ ନିର୍ବାଚନ ଶେଷ ହେବାକୁ ଥିବା ବେଳେ ମେ ୨୩ରେ ଫଳାଫଳ ପ୍ରକାଶ ପାଇବ । ତେବେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପୂର୍ବରୁ ସରକାର ଗଢିବା ପାଇଁ ଦୁଇ ପ୍ରମୁଖ ଜାତୀୟ ରାଜନୈତିକ ଦଳ କସରତ ଆରମ୍ଭ କରିଛନ୍ତି । ନିର୍ବାଚନ ଫଳାଫଳ ଯେତିକି ପାଖେଇ ଆସୁଛି, ବିଭିନ୍ନ ଆଞ୍ଚଳିକ ଦଳକୁ ନେଇ ନୂଆ ନୂଆ ସମୀକରଣ ସେତିକି ବଢିବାରେ ଲାଗିଛି । ଖାସକରି ୨ ଜାତୀୟ ରାଜନୈତିକ ଦଳ ସରକାର ଗଢିବା ପାଇଁ ନିଜ ପକ୍ଷରୁ ଏବେଠୁ ଅଙ୍କକଷା ଆରମ୍ଭ କରିଛନ୍ତି । ଫଳରେ ମେ ୨୩ ପରେ ଯେମିତି କୌଣସି ଅଡୁଆ ରହିବ ନାହିଁ । ଯେଉଁଥିପାଇଁ ମହାଗଠବନ୍ଧନ ସହ ଯୋଗାଯୋଗରେ ରହିଛି କଂଗ୍ରେସ । ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ନିର୍ବାଚନ ଫଳାଫଳ ପୂର୍ବରୁ ବିରୋଧୀ ଦଳଗୁଡ଼ିକୁ ନେଇ ବୈଠକ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି ।

ଏସବୁ ଭିତରେ ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ମହାଗଠବନ୍ଧନ ପକ୍ଷରୁ ପ୍ରଧାନମନ୍ତ୍ରୀ ଚେହେରା ଘୋଷଣା କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଫଳାଫଳ ଆସିବା ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ବଡ ବୟାନ ଦେଇଛନ୍ତି । ଗୁଲାମ ନବୀ କହିଛନ୍ତି, ମହାଗଠବନ୍ଧନରେ ଯଦି ପ୍ରଧାନମନ୍ତ୍ରୀ ପଦ ପାଇଁ କଂଗ୍ରେସକୁ ବାଟ ଛଡାନଯାଏ ତେବେ ମଧ୍ୟ ଦଳ ପକ୍ଷରୁ ଏହାକୁ ନେଇ କୌଣସି ମୁଦ୍ଦା କରାଯିବ ନାହିଁ ।

ବିହାରର ରାଜଧାନୀ ପାଟଣାରେ ଏକ ସାମ୍ବାଦିକ ସମ୍ମିଳନୀରେ ଆଜାଦ କହିଛନ୍ତି, ଲୋକସଭା ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ପଦ ପାଇଁ ବିଭିନ୍ନ ଦଳ ମଧ୍ୟରେ ସହମତି ହେଲେ ଏହାକୁ ସ୍ୱାଗତ କରାଯିବ । ଏପରିକି ପ୍ରଧାନମନ୍ତ୍ରୀ ପଦକୁ ନେଇ କଂଗ୍ରେସ ପକ୍ଷରୁ କୌଣସି ମୁଦ୍ଦା କରାଯିବ ନାହିଁ । ଏପରିକି ଯେକୌଣସି ଦାୟିତ୍ୱ ନେବାକୁ ମଧ୍ୟ କଂଗ୍ରେସ ପ୍ରସ୍ତୁତ ଥିବା କହିଛନ୍ତି ଆଜାଦ ।

ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଆଜାଦ ଏହି ବୟାନ ଦେଇ ସହଯୋଗୀ ଦଳକୁ ବଡ ସଂକେତ ଦେଇଛନ୍ତି । ଆଜାଦ କହିଛନ୍ତି, ଏନଡିଏକୁ କ୍ଷମତାରୁ ଦୂରେଇ ରଖିବା କଂଗ୍ରେସର ମୂଳ ଉଦ୍ଦେଶ୍ୟ । ଏପରିକି ଚଳିତ ଥର ନାଁ ବିଜେପି ସରକାରକୁ ଫେରିବ ନା ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହେବେ । ଚଳିତ ନିର୍ବାଚନରେ କେନ୍ଦ୍ରରେ ଅଣ-କଂଗ୍ରେସ ଓ ଅଣ-ବିଜେପି ସରକାର ଗଢିବ ବୋଲି କହିଛନ୍ତି ଆଜାଦ ।