କନକ ବ୍ୟୁରୋ: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ମତଦାନ ଶେଷ ହୋଇଛି । ଆଉ ବାଲାଟ ବକ୍ସରେ କଏଦ ହୋଇ ରହିଛି ମଲ୍କିକାର୍ଜୁନ ଖଡଗେ ଓ ଶଶି ଥରରୁଙ୍କ ଭାଗ୍ୟ । ଦେଶର ସବୁ ପିସିସି କାର୍ଯ୍ୟାଳୟ ସମେତ ଭୁବନେଶ୍ୱରସ୍ଥିତ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଭୋଟ୍ ଦେଇଛନ୍ତି ତାଲିକାରେ ଥିବା କଂଗ୍ରେସ ନେତା । ଦିନ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ଭୋଟ ଗ୍ରହଣ କରାଯାଇଛି । ଦଳର ଅଧ୍ୟକ୍ଷ ନିର୍ବାଚନରେ ରାଜ୍ୟର ମୋଟ ୪୨୮ ପିସିସି ସଦସ୍ୟ ଓ ପଦାଧିକାରୀଙ୍କ ମଧ୍ୟରୁ ମତଦାନ କରିଛନ୍ତି ୪୧୨ ଜଣ ସଦସ୍ୟ ।

ନିର୍ବାଚନର ଦୁଇ ଦିନ ତଳେ ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମଲ୍ଲିକାର୍ଜୁନ ଖଡଗେ ଭୁବନେଶ୍ୱର ଆସି ସମର୍ଥନ ଲୋଡିଥିଲେ । ହେଲେ ଶଶି ଥରୁର ଓଡିଶା ଆସିନଥିଲେ । ତେଣୁ ଓଡିଶାରୁ ମଲ୍ଲିକାର୍ଜୁନ ଖଡଗେ ଅଧିକ ଭୋଟ ଯାଇଥିବା ଆକଳନ କରାଯାଉଛି ।

  • ଭୋଟ ଦେବାକୁ ଆସିଲେନି ମୋକିମ 
  • ଭୋଟର ତାଲିକାକୁ ନେଇ ଦ୍ୱନ୍ଦ୍ୱ  

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଦଳର ପଦାଧିକାରୀ ମତ ସାବ୍ୟସ୍ତ କରି ଦଳର ମଙ୍ଗୁଆଳ ବାଛିଛନ୍ତି । ହେଲେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଭୋଟ ଦେଇନାହାନ୍ତି । କୌଣସି କାମରେ ସେ ବାହାରେ ଥିବାରୁ ଭୋଟ ଦେବାକୁ ଆସିପାରିନଥିବା ସୂଚନା ମିଳିଛି । ସେହିପରି କଂଗ୍ରେସକୁ ଗୁଡବାଏ କହିସାରିଥିବା ବହୁ ନେତାଙ୍କୁ  ଭୋଟ ଦେବାକୁ ଏଆଇସିସିରୁ ମୋବାଇଲରେ ମ୍ୟାସେଜ ଆସିଥିବା କୁହାଯାଉଛି । ଏହାଛଡା  ଭୋଟର ତାଲିକାକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ଦେଖା ଦେଇଛି । କଟକ କଂଗ୍ରେସର ନେତା ନିକୁଞ୍ଜ ପଶାୟତ କହିଛନ୍ତି, ଏଆଇସିସି ତାଲିକାରେ ନାଁ ଥିବା ସତ୍ୱେ ପିସିସି କହୁଛନ୍ତି ନାଁ ନାହିଁ । ତେଣୁ ସେ ଭୋଟ ଦେବାକୁ ଯାଇ ନାହାନ୍ତି । ରାହୁଲ ଗାନ୍ଧୀ ଭାରତ ଯୋଡ ଯାତ୍ରା କରୁଥିବା ବେଳେ ପିସିସି ସଭାପତି ମନମୁଖୀ କାର୍ଯ୍ୟ କରୁଥିବା ନିକୁଞ୍ଜ ଅଭିଯୋଗ ଆଣିିଛନ୍ତି ।

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ସାରା ଦେଶର ପିସିସି କାର୍ଯ୍ୟାଳୟର ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ କରାଯାଇଛି । ବାଲାଟ ବକ୍ସକୁ ଦିଲ୍ଲୀ ସ୍ଥିତି ମୁଖ୍ୟ କାର୍ଯ୍ୟାଳୟକୁ ନିଆଯିବ ଓ ଆସନ୍ତା ୧୯ ତାରିଖରେ ଭୋଟ ଗଣତି ହେବ ।