ବିଜେଡିର ୭, ବିଜେପିର ୪ ଆଉ କଂଗ୍ରେସର ୩/୧୭ । ମହିଳା ନେତୃତ୍ୱ ଉପରେ କେଉଁ ଦଳର କେତେ ଭରସା?

147

କନକ ବ୍ୟୁରୋ: ବିଜେଡିର ୭, ବିଜେପିର ୪ ଆଉ କଂଗ୍ରେସର ୧୭ରୁ ୩ । ଆସନ୍ତା ଲୋକସଭା ନିର୍ବାଚନ ପାଇଁ ରାଜ୍ୟର ପ୍ରମୁଖ ଦୁଇଟି ଦଳ ବିଜେଡି, ବିଜେପି ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ, ଏପର୍ଯ୍ୟନ୍ତ ୧୭ଟି ସିଟରେ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ହେଲେ ତା ଭିତରେ କିନ୍ତୁ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ବିଜେଡିକୁ ଛାଡିଦେଲେ କୌଣସି ଦଳରେ ବି ୩୩ ପ୍ରତିଶତ ଛୁଇଁନି ।

ପ୍ରତିଶ୍ରୁତି ମୁତାବକ ଏଥର ମଧ୍ୟ ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ ମହିଳା ସିଟ୍ ସଂରକ୍ଷଣ କଥା ପାଳନ କରିଛି ବିଜେଡି । ୨୧ ଲୋକସଭା ଆସନରୁ ୭ଟି ସିଟରେ ଦଳ ଦେଇଛି ମହିଳା ଚେହେରା । କୋରାପୁଟ ଆସନ ସହିତ ଆସ୍କା, ଯାଜପୁର, ଜଗତସିଂହପୁର, ଭଦ୍ରକ, ବରଗଡ ଏବଂ ବାଲେଶ୍ୱର ଆସନରେ ଦଳ ମହିଳା ପ୍ରାର୍ଥୀଙ୍କୁ ଭରସା କରିଛି । ତେବେ ଏହା ଭିତରେ ବିଜେଡି କିଛି ପୁରୁମା ମହିଳା ଚେହେରାଙ୍କୁ ପୁଣିଥରେ ଭରସା କରିଥିବାବେଳେ, କିଛି ନୂଆ ଚେହେରାଙ୍କୁ ମଧ୍ୟ ସାମ୍ନାକୁ ଆଣିଛି ।

ଅନ୍ୟପଟେ ବିଜେପି କିନ୍ତୁ ନିଜର ୨୧ ଲୋକସଭା ପ୍ରାର୍ଥୀଙ୍କ ଭିତରେ କେବଳ ୪ ଜଣ ମହିଳାଙ୍କୁ ଟିକେଟ୍ ଦେଇଛି । ଭୁବନେଶ୍ୱରରୁ ଅପରାଜିତା ଷଡଙ୍ଗୀଙ୍କ ସହିତ ବଲାଙ୍ଗୀରରୁ ସଙ୍ଗୀତା ସିଂହଦେଓ, ଆସ୍କାରୁ ଅନୀତା ଶୁଭଦର୍ଶିନୀ ଟିକେଟ୍ ପାଇଛନ୍ତି । ତା ସହିତ କଳାହାଣ୍ଡିରୁ ସାଂସଦ ବସନ୍ତ ପଣ୍ଡାଙ୍କ ଟିକେଟ୍ କାଟି ଦଳ ଏଥର ମାଳବିକା କେଶରୀ ଦେଓଙ୍କ ଉପରେ ଭରସା କରିଛି ।

ସେପଟେ କିନ୍ତୁ କଂଗ୍ରେସ ଏପର୍ଯ୍ୟନ୍ତ ରାଜ୍ୟର ୧୭ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବାବେଳେ, ଏହା ଭିତରେ କେବଳ ୩ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ପୁରୀରୁ ସୁଚରିତା ମହାନ୍ତି, ଢେଙ୍କାନାଳରୁ ସସ୍ମିତା ବେହେରା ଆଉ କଳାହାଣ୍ଡିରୁ ଦ୍ରୌପଦୀ ମାଝୀଙ୍କୁ ଟିକେଟ୍ ଦେଇଛି କଂଗ୍ରେସ । ତେବେ ଆଗକୁ କେବଳ ଆସ୍କା, ମୟୂରଭଞ୍ଜ, କଟକ ଆଉ ସମ୍ବଲପୁର ଆସନ ବାକି ଥିବାରୁ, ଏହି ୪ଟି ଆସନରେ ଦଳ କାହାକୁ ଭରସା କରୁଛି ତାହା ଦେଖିବାକୁ ବାକି ରହିଲା ।