କନକ ବ୍ୟୁରୋ : ଉତ୍ତରପ୍ରଦେଶ ରାଜନୀତିରେ ବୁନ୍ଦେଲଖଣ୍ଡର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ଏହି ଅଞ୍ଚଳରେ କେବେ କଂଗ୍ରେସର ଦବଦବା ଯଥେଷ୍ଟ ଅଧିକ ରହିଥିଲା । କିନ୍ତୁ ସମୟକ୍ରମେ ଏଥିରେ ପରିବର୍ତ୍ତନ ଆସିଛି । ଆଉ ଏହାର ଝଲକ ଗତକାଲି ଆସିଥିବା ନିର୍ବାଚନ ଫଳାଫଳରେ ଦେଖିବାକୁ ମିଳିଛି । ବିଜେପି ଏଠାରେ ନିଜର ବିଜୟ ବାନା ଉଡାଇଥିବା ବେଳେ କଂଗ୍ରେସ ଏଠାରେ ଚିତପଟାଙ୍ଗ ମାରିଛି । ବୁନ୍ଦେଲଖଣ୍ଡ ଅଞ୍ଚଳରେ କିଛି ଏମିତି ବି ଆସନ ରହିଛି ଯେଉଁଠି କଂଗ୍ରେସକୁ ନୋଟା ଠାରୁ ମଧ୍ୟ କମ ଭୋଟ ମିଳିଛି ।
ବୁନ୍ଦେଲଖଣ୍ଡ କଂଗ୍ରେସ ପାଇଁ ବେଶ ଗୁରୁତ୍ୱ ବହନ କରୁଥିଲା । କାରଣ ବୁନ୍ଦେଲଖଣ୍ଡକୁ ଗଡ କରିଥିଲା କଂଗ୍ରେସ । ଯେଉଁଥିପାଇର୍ ୨୦୦୯ରେ ବୁନ୍ଦେଲଖଣ୍ଡ ପାଇଁ କଂଗ୍ରେସ ସରକାର ୭୨୦୦ କୋଟି ଟଙ୍କାର ସ୍ପେଶାଲ ପ୍ୟାକେଜ ମଧ୍ୟ ଘୋଷଣା କରିଥିଲେ । କିନ୍ତୁ ଏବେ ସ୍ଥିତି ଏମିତି ହୋଇଛି ଯେ, କଂଗ୍ରେସ ଏହି ଅଞ୍ଚଳରେ ଅସ୍ଥିତ୍ୱ ବଞ୍ଚାଇବାକୁ ସଂଘର୍ଷ କରୁଛି । ଝାନସୀ ଜିଲ୍ଲାର ମଉରାନୀପୁର ଆସନରେ କଂଗ୍ରେସ ପ୍ରାର୍ଥୀ ଭଗବାନ ଦାସଙ୍କୁ ୩୩୨୩ ଖଣ୍ଡ ଭୋଟ ମିଳିଛି । କିନ୍ତୁ ଏହି ଆସନରେ ନୋଟାକୁ ୩୪୭୧ ଖଣ୍ଡ ଭୋଟ ଦେଇଛନ୍ତି ଭୋଟର । ଯାହା କଂଗ୍ରେସର ଚିନ୍ତା ବଢାଇ ଦେଇଛି ।
ସେହିଭଳି ବାନ୍ଦା ସିଟରୁ କଂଗ୍ରେସ ପ୍ରାର୍ଥୀ ଥିବା ଲକ୍ଷ୍ମୀନାରାୟଣଙ୍କୁ ୧୮୯୪ ଖଣ୍ଡ ଭୋଟ ମିଳିଛି । କିନ୍ତୁ ଏଠାରେ ନୋଟାରେ ପଡିଛି ୧୯୯୧ ଖଣ୍ଡ ଭୋଟ । ଏଠାରେ ବିଜେପି ପ୍ରାର୍ଥୀ ବିଜୟ ହାସଲ କରିଥିବା ବେଳେ ଏସପି ଓ ବିଏସପି ଯଥାକ୍ରମେ ୨ୟ ଓ ୩ୟ ସ୍ଥାନରେ ରହିଛନ୍ତି । ଏହାବାଦ୍ ବବେରୁ ଆସନରେ କଂଗ୍ରେସ ପ୍ରାର୍ଥୀ ଗଜେନ୍ଦ୍ର ସିଂ ପଟେଲଙ୍କୁ ମଧ୍ୟ ମାତ୍ର ୨୧୧୨ ଖଣ୍ଡ ଭୋଟ ମିଳିଛି । କିନ୍ତୁ ଏଠାରେ ନୋଟାକୁ ମିଳିଛି ୩୦୪୭ ଖଣ୍ଡ ଭୋଟ । ଏଠାରେ କିନ୍ତୁ ସମାଜବାଦୀ ପାର୍ଟିର ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି । ସେହିଭଳି ଆଉ ଏକ ଆସନ ହେଲା ନେରନୀ । ଏଠାରେ କଂଗ୍ରେସ ପ୍ରାର୍ଥୀ ପୱନ ଦେବୀ ୧୮୦୬ ଖଣ୍ଡ ଭୋଟ ହାସଲ କରିଛନ୍ତି । କିନ୍ତୁ ଏଠାରେ ନୋଟାକୁ ମିଳିଛି ୩୪୨୦ ଖଣ୍ଡ ଭୋଟ । ଏହି ଆସନରୁ ମଧ୍ୟ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।