ଦେଶର ସର୍ବପୁରାତନ ଦଳକୁ ଘାରିଛି ପାଣ୍ଠି ଚିନ୍ତା । ନିଜ ଜାହାଜ ନିଜେ ବଂଚାଇବାକୁ ରାଜ୍ୟ ସଂଗଠନକୁ ସନ୍ଦେଶ ଦେଲା କଂଗ୍ରେସ ।

103

କନକ ବ୍ୟୁରୋ: କଂଗ୍ରେସକୁ ଘାରିଛି ପାଣ୍ଠି ଚିନ୍ତା । ୨୦୧୪ରେ କଂଗ୍ରେସ କ୍ଷମତାରୁ ଯିବା ପରଠାରୁ ଖାଲି ହେବାରେ ଲାଗିଛି ଏହାର ଦଳୀୟ ପାଣ୍ଠି । ସେଥିପାଇଁ ରାଜ୍ୟ ସଂଗଠନ ଗୁଡିକୁ ପାଣ୍ଠି ସଂଗ୍ରହ ପାଇଁ ସନ୍ଦେଶ ଦେଇଛି ଏଆଇସିସି । କୁହାଯାଉଛି, ସର୍ବ ଭାରତୀୟ କଂଗ୍ରେସ କମିଟିର ବୈଠକରେ ସଂଗଠନ ସଂପର୍କରେ ଚର୍ଚ୍ଚା ହେବା ସହ ପାଣ୍ଠି ଯୋଗାଡ଼ ନେଇ ଆଲୋଚନା କରାଯାଇଥିଲା ।

୨୦୧୪ରେ କଂଗ୍ରେସର ପରାଜୟ ପରେ ଦଳ ବିିଭିନ୍ନ ସମସ୍ୟାର ସମ୍ମୁଖିନ ହୋଇଛି । ଆଉ ଏହାରି ଭିତରେ ପାଣ୍ଠି ଅଭାବ ସବୁ ସମସ୍ୟାକୁ ବଳିଯାଇଛି । କୁହାଯାଇଛି ଏପରି ସମୟରେ ଏସଓଏସ ବା ସେଭ ଇଓର ସିପ ଅର୍ଥାତ ନିଜ ଜାହାଜ ନିଜେ ବଂଚାଅ ବୋଲି ଦଳର ଟପ ନେତା, ରାଜ୍ୟ ସଂଗଠନଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ।

ମହାରାଷ୍ଟ୍ର, ଝାଡଖଣ୍ଡ ଓ ପଂଜାବ ନେତାମାନଙ୍କୁ ଅଲଗା ଭାବେ ଭେଟିଥିଲେ ଦଳର ଶୀର୍ଷ ନେତା । କିଛି ସାଂଗଠାନିକ ଅଧିକାରୀଙ୍କ ସହ ରାଜ୍ୟ ସ୍ତରୀୟ ମନ୍ତ୍ରୀ ଏହି ଚର୍ଚାରେ ଭାଗ ନେଇଥିଲେ । ଏଥିରେ ରାଜ୍ୟ ସଂଗଠନ ଗୁଡିକୁ ଦଳର ଆର୍ଥିକ ଭାର ଗ୍ରହଣ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି ।

ଆଗକୁ କେରଳ, ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ ଓ ପୁଡୁଚେରୀରେ ନିର୍ବାଚନ ରହିଛି । ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର ପାଇଁ ବିପୁଳ ଅର୍ଥ ଆବଶ୍ୟକ ହେବ । ତେଣୁ ଦଳ କ୍ଷମତାରେ ଥିବା ରାଜ୍ୟ ଗୁଡିକୁ ଅଧିକ ପାଣ୍ଠି ଯୋଗାଇଦେବା ପାଇଁ କହିଛି । କଂଗ୍ରେସ ଏବେ ପଂଜାବ, ରାଜସ୍ଥାନ ଓ ଛତିଶଗଡରେ କ୍ଷମତାରେ ରହିଛି । ମହାରାଷ୍ଟ୍ର ଓ ଝାଡଖଣ୍ଡରେ ଭାଗୁଆଳି ସରକାର ଚଳାଇଛି । ୨୦୧୪ରେ ୟୁପିଏ କ୍ଷମତାରୁ ଯିବା ଦିନରୁ ରାଜ୍ୟ ନିର୍ବାଚନରେ ମଧ୍ୟ ଦଳ ପ୍ରଭାବ ହରାଇଛି । କୁହାଯାଇଛି ଏସଓଏସ-ସେଭ ଇଓର ସିପ ଅର୍ଥାତ ନିଜ ଜାହାଜ ନିଜ ବଂଚାଅ ବୋଲି ଦଳର ଟପ ନେତା ରାଜ୍ୟ ସଂଗଠନଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ।