ଛତିଶଗଡରେ କଂଗ୍ରେସ ଫେଲ୍, ବିଜେପି ପାସ୍ । ଟ୍ରେଣ୍ଡରେ ମ୍ୟାଜିକ୍ ନମ୍ବରଠୁ ବହୁ ଆଗରେ ଭାରତୀୟ ଜନତା ପାର୍ଟି ।

333

କନକ ବ୍ୟୁରୋ: “ଛତିଶଗଡର ଲୋକମାନେ ଭୂପେଶ ବଘେଲ ସରକାରକୁ ରିଜେକ୍ଟ କରିଛନ୍ତି । ଆଉ ଭାରତୀୟ ଜନତା ପାର୍ଟିକୁ ପୂର୍ଣ୍ଣ ସମର୍ଥନ ଦେଇଛନ୍ତି । ଭାରତୀୟ ଜନତା ପାର୍ଟି ମୋଦୀଙ୍କ ନାମ ଏବଂ କାମକୁ ନେଇ ନିର୍ବାଚନ ଲଢିଥିଲା, ଆଉ ତାର ଫଳାଫଳ ଦଳକୁ ମିଳିଛି । ଜନତାଙ୍କୁ ମୋଦୀଙ୍କ ଗ୍ୟାରେଣ୍ଟିଂକୁ ବିଶ୍ୱାସ କରିଛନ୍ତି ”, ରବିବାର ଛତିଶଗଡରେ ବିଜେପି ଟ୍ରେଣ୍ଡରେ ଆଗୁଆ ରହିବା ପରେ ଏପରିି କହିଛନ୍ତି ବିଜେପି ନେତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ।

ଛତିଶଗଡରେ ଏଥର ପୁଣିଥରେ ବିଜେପି କମବ୍ୟାକ୍ କରୁଥିବା ଦେଖିବାକୁ ମିଳୁଛି । ୯୦ ବିଧାନସଭା ଆସନରୁ ବିଜେପି ଏଠାରେ ୫୩ ସିଟରେ ଆଗୁଆ ରହିଛି । ଅନ୍ୟପଟେ କଂଗ୍ରେସ ଶାସନ କ୍ଷମତାରେ ଥିଲେ ବି ମାତ୍ର ୩୫ ସିଟରେ ଆଗୁଆ ରହିଛି । ତେଣୁ ଛତିଶଗଡରେ ପୁଣିଥରେ ବିଜେପି ଶାସନ କ୍ଷମତାକୁ ଫେରୁଥିବା ଦେଖିବାକୁ ମିଳୁଛି ।

୨୦୧୮ରେ କଂଗ୍ରେସ ୬୮ଟି ସିଟ୍ ଜିତି ଛତିଶଗଡର କ୍ଷମତାକୁ ଫେରିଥିଲା । ସେ ସମୟରେ ୧୫ ବର୍ଷର ବିଜେପି ସରକାରକୁ ପଛରେ ପକାଇ ଦେଇଥିଲା ହାତ । ଏହାପରେ ଭୂପେଶ ବାଘେଲ ହେଇଥିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ । ତେବେ ୨୦୧୮ରୁ ୨୦୨୩ ଭିତରେ ପୁଣିଥରେ ସରକାର ପରିବର୍ତ୍ତନ କରୁଛନ୍ତି ଛତିଶଗଡ ଭୋଟର । ପୁଣିଥରେ ମୋଦୀ ମ୍ୟାଜିକ୍ ଛତିଶଗଡରେ କାମ କରିବା ସହ ବିଜେପି ପୁଣି ଶାସନ କ୍ଷମତାରେ ବସୁଥିବା ଦେଖିବାକୁ ମିଳୁଛି ।