ଦେଶର ସର୍ବପୁରାତନ ଦଳକୁ ଘାରିଛି ପାଣ୍ଠି ଚିନ୍ତା । ନିଜ ଜାହାଜ ନିଜେ ବଞ୍ଚାଇବାକୁ ରାଜ୍ୟ ସଂଗଠନକୁ ସନ୍ଦେଶ ଦେଲା କଂଗ୍ରେସ 

କଂଗ୍ରେସକୁ ଘାରିଛି ପାଣ୍ଠି ଚିନ୍ତା

1,028
କନକ ବ୍ୟୁରୋ : କଂଗ୍ରେସକୁ ଘାରିଛି ପାଣ୍ଠି ଚିନ୍ତା । ୨୦୧୪ରେ କଂଗ୍ରେସ କ୍ଷମତାରୁ ଯିବା ପରଠାରୁ ଖାଲି ହେବାରେ ଲାଗିଛି ଏହାର ଦଳୀୟ ପାଣ୍ଠି । ସେଥିପାଇଁ ରାଜ୍ୟ ସଂଗଠନ ଗୁଡିକୁ ପାଣ୍ଠି ସଂଗ୍ରହ ପାଇଁ ସନ୍ଦେଶ ଦେଇଛି ଏଆଇସିସି । କୁହାଯାଉଛି, ସର୍ବ ଭାରତୀୟ କଂଗ୍ରେସ କମିଟିର ବୈଠକରେ ସଂଗଠନ ସଂପର୍କରେ ଚର୍ଚ୍ଚା ହେବା ସହ  ପାଣ୍ଠି ଯୋଗାଡ଼ ନେଇ ଆଲୋଚନା କରାଯାଇଥିଲା ।
ମହାରାଷ୍ଟ୍ର, ଝାରଖଣ୍ଡ ଓ ପଂଜାବ ନେତାମାନଙ୍କୁ ଅଲଗା ଭାବେ ଭେଟିଥିଲେ ଦଳର ଶୀର୍ଷ ନେତା । କିଛି ସାଂଗଠାନିକ ଅଧିକାରୀଙ୍କ ସହ ରାଜ୍ୟ ସ୍ତରୀୟ ମନ୍ତ୍ରୀ ଏହି ଚର୍ଚାରେ ଭାଗ ନେଇଥିଲେ । ଏଥିରେ ରାଜ୍ୟ ସଂଗଠନ ଗୁଡିକୁ ଦଳର ଆର୍ଥିକ  ଭାର ଗ୍ରହଣ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଆଗକୁ କେରଳ, ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ ଓ ପୁଡୁଚେରୀରେ ନିର୍ବାଚନ ରହିଛି । ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର ପାଇଁ ବିପୁଳ ଅର୍ଥ ଆବଶ୍ୟକ ହେବ । ତେଣୁ ଦଳ କ୍ଷମତାରେ ଥିବା ରାଜ୍ୟ ଗୁଡିକୁ ଅଧିକ ପାଣ୍ଠି ଯୋଗାଇଦେବା ପାଇଁ କୁହାଯାଇଛି । ଦଳ ଏବେ ପଂଜାବ, ରାଜସ୍ଥାନ ଓ ଛତିଶଗଡରେ କ୍ଷମତାରେ ରହିଛି । ମହାରାଷ୍ଟ୍ର ଓ ଝାରଖଣ୍ଡରେ ଭାଗୁଆଳି ସରକାର ଚଳାଇଛି । ୨୦୧୪ରେ ୟୁପିଏ କ୍ଷମତାରୁ ଯିବା ଦିନରୁ ରାଜ୍ୟ ନିର୍ବାଚନରେ ମଧ୍ୟ ଦଳ ପ୍ରଭାବ ହରାଇଛି ।କୁହାଯାଇଛି ଏସଓଏସ -ସେଭ ଇଓର ସିପ ଅର୍ଥାତ ନିଜ ଜାହାଜ ନିଜ ବଂଚାଅ ବୋଲି ଦଳର ଟପ ନେତା ରାଜ୍ୟ ସଂଗଠନଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ।