କନକ ବ୍ୟୁରୋ : ଆଗାମୀ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ କମଲନାଥ ମଙ୍ଗଳବାର ଦିନ ଘୋଷଣାପତ୍ର ଜାରି କରିଛନ୍ତି । ଏଥିରେ ରାଜ୍ୟର ପ୍ରତ୍ୟକ ନାଗରିକଙ୍କ ପାଇଁ ୨୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ଓ ରାଜ୍ୟରେ ଏକ ଆଇପିଏଲ ଟିମ୍ ଗଠନ କରିବାକୁ ଘୋଷଣା କରାଯାଇଛି । ଏହାସହ ରାଜ୍ୟର ଓବିସି ବର୍ଗ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଦିଆଯିବ ବୋଲି ଘୋଷଣାପତ୍ରରେ ପ୍ରତିଶ୍ରୁତି ଦିଆଯାଇଛି ।

Advertisment

ମଧ୍ୟପ୍ରଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ୧୦୬ ପୃଷ୍ଟାର ଘୋଷଣାପତ୍ରରେ ୫୯ ଟି ପ୍ରତିଶ୍ରୁତି ସୂଚୀବଦ୍ଧ କରିଛି । ଏଥିରେ କୃଷକ, ମହିଳା ଓ ସରକାରୀ କର୍ମଚାରୀଙ୍କ ସମେତ ରାଜ୍ୟର ସମସ୍ତ ବର୍ଗର ଲୋକଙ୍କୁ ଆଶ୍ୱାସନା ଦିଆଯାଇଛି । କମଲନାଥ ଘୋଷଣାପତ୍ର ଜାରି କରିବା ଅବସରରେ କହିଛନ୍ତି କି, ସରକାରକୁ ଆସିଲେ ରାଜ୍ୟର ସମସ୍ତ ଲୋକଙ୍କୁ ୨୫ ଲକ୍ଷ ଟଙ୍କାର ବୀମା କଭରେଜ ମିଳିବ । ଏଥିରେ ୧୦ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ମଧ୍ୟ ରହିବ । ଏହାସହ ମଧ୍ୟପ୍ରଦେଶ ତରଫରୁ ଏକ ଆଇପିଏଲ ଟିମ୍ ଗଂନ କରାଯିବ । କେବଳ ସେତିକି ନୁହେଁ ରାଜ୍ୟର କୃଷକମାନଙ୍କ ପାଇଁ ମଧ୍ୟ ବଡ ଘୋଷଣା କରିଛି କଂଗ୍ରେସ । କମଲନାଥ କହିଛନ୍ତି କି, ରାଜ୍ୟର କୃଷକମାନଙ୍କୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ କରାଯିବ । ସେହିଭଳି ରାଜ୍ୟର ମହିଳାମାନଙ୍କୁ ପ୍ରତିମାସ ୧୫ଶହ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ । ବିପିଏଲ କାର୍ଡଧାରୀ ପରିବାରକୁ ଗ୍ୟାସ ସିଲିଣ୍ଡର ପ୍ରତି ୫୦୦ ଟଙ୍କାରେ ଯୋଗାଇ ଦିଆଯିବ । ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍କୁଲ ଶିକ୍ଷା ମାଗଣାରେ ଉପଲବ୍ଧ କରାଯିବ ।

କମଲନାଥଙ୍କ ଘୋଷଣା ମୁତାବକ ରାଜ୍ୟରେ କଂଗ୍ରେସ ସରକାର ଗଠନ କଲେ ସରକାରୀ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ ଯୋଜନା ପୁଣି ଲାଗୁ କରାଯିବ । ରାଜ୍ୟରେ ବେରୋଜଗାରୀ ଶିକ୍ଷିତ ଯୁବକ ଯୁବତୀଙ୍କୁ ଦୁଇବର୍ଷ ପାଇଁ କ୍ରମାଗତ ଭାବେ ୧୫ଶହ ଟଙ୍କା ଓ ୩ ହଜାର ଟଙ୍କା ବେରୋଜଗାରୀ ଭତ୍ତା ପ୍ରଦାନ କରାଯିବ ।

ସୂଚନା ଥାଉକି ୨୩୦ ବିଧାନସଭା ଆସନ ବିଶିଷ୍ଟ ମଧ୍ୟପ୍ରଦେଶରେ ନଭେମ୍ବର ୧୭ ତାରିଖରେ ଭୋଟିଂ ହେବ । ୨୦୧୮ ନିର୍ବାଚନ ଫଳାଫଳ ମୁତାବକ କଂଗ୍ରେସ ସବୁଠାରୁ ଅଧିକ ଆସନରେ ବିଜୟୀ ହୋଇ ସରକାର ଗଠନ କରିଥିଲା । ମାତ୍ର କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ତାଙ୍କ ସମର୍ଥକ ବିଧାୟକଙ୍କ ସହ ବିଜେପିରେ ଯୋଗ ଦେବା ପରେ କମଲନାଥଙ୍କ ସରକାର ଭାଙ୍ଗିଯାଇଥିଲା ଓ ବିଜେପି ସରକାର ଗଠନ କରିଥିଲା ।