କନକ ବ୍ୟୁରୋ : ହାତ ଛାଡ଼ିଛନ୍ତି ଏହି ୩ ନେତା । ଅତାବିରାର ପୂର୍ବତନ ବିଧାୟକ ନିହାର ମହାନନ୍ଦ, ଅନୁଗୁଳର ବିପ୍ଳବ ଜେନାଙ୍କ ପରେ ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ତାଙ୍କ ଇସ୍ତଫାପତ୍ର ପିସିସି ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି । ଗୋଟିଏ ପଟେ ସଂଗଠନକୁ ମଜବୁତ କରିବା ପାଇଁ ଓଡ଼ିଶା ପ୍ରଭାରୀ ଡକ୍ଟର ଅଜୟ କୁମାର ଯୋଜନା କରୁଥିବା ବେଳେ ଟାଣୁଆ ନେତାଙ୍କ ଇସ୍ତଫା, ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ନିକଟରେ ଜିଲ୍ଲା ସଭାପତି ପଦରୁ ନିହାର ମହାନନ୍ଦ ଓ ବିପ୍ଲବ ଜେନାଙ୍କୁ ବଦଳାଇବା ପରେ ଏହି ଦୁଇ ନେତା ଦଳ ଛାଡିଛନ୍ତିି । ଆଉ ଖୋଲାଖୋଲି ଭାବେ ଦଳୀୟ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି । ସହଯୋଗ ମିଳୁନଥିବାରୁ ଦଳ ଛାଡିଥିବା କହିଛନ୍ତି ନିହାର ଓ ବିପ୍ଳବ ।
୨୦୧୪ ନିର୍ବାଚନରେ ରାଜନଗରର ବିଧାୟକ ହୋଇଥିଲେ ପୂର୍ବତନ ମନ୍ତ୍ରୀ ନଳିନୀ ମହାନ୍ତିଙ୍କ ପୁଅ ଅଂଶୁମାନ ମହାନ୍ତି । ସ୍ଥାନୀୟ ଅଂଚଳରେ ତାଙ୍କର ଲୋକପ୍ରିୟତା ବୃଦ୍ଧି ପାଇଥିଲା । ତେବେ ୨୦୧୯ରେ ବିଜେଡି ପ୍ରାର୍ଥୀ ଧ୍ରୁବ ସାହୁଙ୍କ ଠାରୁ ହାରି ଯାଇଥିଲେ । ଏହାପରେ ଧୀରେ ଧୀରେ କଂଗ୍ରେସ ରାଜନୀତିରୁ ସେ ଦୂରେଇ ଯାଇଥିଲେ । ନୂଆବର୍ଷରେ ନିଜ ନିର୍ବାଚନ ମଣ୍ଡଳୀରେ ସେ ଯେଉଁ ପୋଷ୍ଟର ମାରୁଥିଲେ, ସେଥିରେ ଦଳ କିମ୍ବା ଦଳୀୟ ନେତାଙ୍କ ଫଟୋ ରଖୁନଥିଲେ । ଫଳରେ ଦଳ ଛାଡିବା ନେଇ ଚର୍ଚ୍ଚା ହେଉଥିଲା । ଆଉ ଆଜି, ସେ ଦଳରୁ ଇସ୍ତଫା ଦେଇଛନ୍ତି । ଏପଟେ ପିସିସି ସଭାପତି କହିଛନ୍ତି, କେହି ଦଳ ଛାଡିଲେ କିଛି ଫରକ ପଡିବନି ।
ନିର୍ବାଚନ ପାଖେଇ ଆସୁଥିବା ବେଳେ କଂଗ୍ରେସର ଜଣକ ପରେ ଜଣେ ତୁଙ୍ଗ ନେତା ଦଳ ଛାଡିବା, ସମସ୍ୟା ସୃଷ୍ଟି କରିପାରେ ବୋଲି ଆକଳନ କରୁଛନ୍ତି ରାଜନୀତି ସମୀକ୍ଷକ ।