ସହିଦନଗର ଜମି ଦୁର୍ନୀତି ମାମଲାରେ ଡିଏନ ହୋମ୍ସକୁ ଟାଣିଲା କଂଗ୍ରେସ। ଶାଗମାଛ ଦରରେ ସରକାର ସଂସ୍ଥାକୁ ପ୍ରକଳ୍ପ ଟେକି ଦେଇଥିବା ଅଭିଯୋଗ

143

କନକ ବ୍ୟୁରୋ: ଭୁବନେଶ୍ୱର ସହିଦନଗର ଜମି ଦୁର୍ନୀତି କାରବାରର ମହାନାୟକ ଓଡ଼ିଶା ସରକାର ବୋଲି ଅଭିଯୋଗ କରିଛି କଂଗ୍ରେସ । ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ଅମୀୟ ପାଣ୍ଡବ କହିଛନ୍ତି, ସହିଦନଗରରେ ଥିବା ମହର୍ଷି କଲେଜ ପାଖରେ ୭ ଏକର ୭୯୭ଡିସମିଲ ଜମି ମଧ୍ୟରୁ ୪ଏକର ୧୪୬ଡିସମିଲ ଜମି ଉପରେ ରିହାବିଲିଟେସନ ପ୍ରୋଜେକ୍ଟ ପାଇଁ ଶାନ୍ତିନଗର ଆବାସ ଯୋଜନା ମାଧ୍ୟମରେ ବସ୍ତି ବାସିନ୍ଦାଙ୍କୁ ଘର ଯୋଗାଇ ଦେଉଛନ୍ତି । ଏହି ଶାନ୍ତିନଗର ଆବାସ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ୨୦୧୭ମସିହାରେ ପାରମିତା ସ୍ୱାଟ୍ ଇନଫ୍ରା ପ୍ରାଇଭେଟ ଲିମିଟେଡ ନାମକ ଏକ କମ୍ପାନୀ ସହିତ ପିପିପିି ମୋଡରେ ଚୁକ୍ତି କରିଥିଲେ । ସବୁଠାରୁ ଦୁର୍ଭାଗ୍ୟର କଥା ରାଜ୍ୟ ସରକାର ଯେଉଁ କମ୍ପାନୀ ସହିତ ଚୁକ୍ତି କରିଥିଲେ ସେହି କମ୍ପାନୀ ମେ’ ୪, ୨୦୧୭ରେ ଆରମ୍ଭ ହୋଇଥିଲା । ଏହି କମ୍ପାନୀର ଗୃହ ନିର୍ମାଣ କ୍ଷେତ୍ରରେ କୌଣସି ଅନୁଭୂତି ନାହିଁ । ଏହି କମ୍ପାନୀର ପୁଂଜି ମାତ୍ର ୧ଲକ୍ଷ ଟଙ୍କା । କିଭଳି ଭାବରେ ଶହ ଶହ କୋଟି ଟଙ୍କାର ପ୍ରୋଜେକ୍ଟକୁ ଏହି କମ୍ପାନୀକୁ ଦିଆଗଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଉକ୍ତ କମ୍ପାନୀଟି ଏହି ପ୍ରୋଜେକ୍ଟକୁ କରିପାରିଲା ନାହିଁ । ପରେ ୨୦୧୮ରେ ଏହି କମ୍ପାନୀକୁ ଡିଏନ ହୋମ ପ୍ରାଇଭେଟ ଲିମିଟେଡ ଅଧିଗ୍ରହଣ କଲା । ସରକାର ଶାଗମାଛ ଦରରେ ଡିଏନ ହୋମ୍ସକୁ ଅନୁକମ୍ପା ପ୍ରଦର୍ଶନ କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ ଆଣିଛି ।