କଂଗ୍ରେସକର୍ମୀ ଓ ନେତାଙ୍କ ପ୍ରତିବାଦରେ କମ୍ପିଲା ରାଜଧାନୀ ଦିଲ୍ଲୀ , ଇଡିର ୨୫ଟି ଆଂଚଳିକ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ବିରୋଧ ପ୍ରଦର୍ଶନ

91

କନକ ବ୍ୟୁରୋ : ଗୋଟେପଟେ ଇଡି ସମ୍ମୁଖରେ ରାହୁଲ ଗାନ୍ଧୀ ହାଜର ଅନ୍ୟପଟେ ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରେ କଂଗ୍ରେସର ଜୋରଦାର ପ୍ରତିବାଦ ଦେଖିବାକୁ ମିଳିଛି । ଇଡ଼ିର ସମନକୁ ବିରୋଧ କରି ସାରା ଦେଶରେ କଂଗ୍ରେସ କରିଛି ସତ୍ୟାଗ୍ରହ । ଦେଶରେ ପ୍ରାୟ ୨୫ଟି ଇଡି ଆଂଚଳିକ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ବିରୋଧ ପ୍ରଦର୍ଶନ କରିଛି । ଦିଲ୍ଲୀରେ କଂଗ୍ରେସ ନେତା ଓ କର୍ମକର୍ତା ଏକତ୍ରିତ ପ୍ରତିବାଦ କରିବା ବେଳେ ପୋଲିସ ସେମାନଙ୍କୁ ଉଠାଇ ନେଇଛି

କଂଗ୍ରେସକର୍ମୀ ଓ ନେତାଙ୍କ ପ୍ରତିବାଦରେ କମ୍ପିଲା ରାଜଧାନୀ ଦିଲ୍ଲୀ । ଦିଲ୍ଲୀ ଇଡି ମୁଖ୍ୟାଳୟ ସମ୍ମୁଖରେ ଶହ ଶହ ସଂଖ୍ୟକ କଂଗ୍ରେସ କର୍ମୀ, ନେତା, ସମର୍ଥକ ଭିଡ ଦେଖିବାକୁ ମିଳିଛି । କଂଗ୍ରେସ ଶାସିତ ରାଜ୍ୟର ବରିଷ୍ଠନେତାମାନେ ଦିଲ୍ଲୀରେ ପହଁଚି ଇଡି ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଆଜି ସକାଳୁ ରାହୁଲ ଯେତେବେଳ ଦିଲ୍ଲୀ ଇଡି କାର୍ଯ୍ୟାଳୟରେ ପହଁଚିଥିଲେ, ସେତେବେଳେ ତାଙ୍କୁ ଭେଟିବାକୁ ଦଳର ଅନେକ ବରିଷ୍ଠ ସେଠାରେ ପୂର୍ବରୁ ଆସି ପହଁଚିଥିଲେ । ଇଡିସ ସମନକୁ ବିରୋଧ କରି ଦିଲ୍ଲୀ ଇଡି କାର୍ଯ୍ୟାଳୟ ସମ୍ମୁଖରେ ଶକ୍ତି ପ୍ରଦର୍ଶନ କରିଛି କଂଗ୍ରେସ ।

ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରେ ସୋମବାର ଜୋରଦାର ପ୍ରତିବାଦ ଦେଖିବାକୁ ମିଳିଛି । କଂଗ୍ରେସ କର୍ମୀ ନାରାବାଜୀ କରିବା ସହ ଜୋରଦାର ବିରୋଧ ପ୍ରଦର୍ଶନ କରିଛନ୍ତି । ଯେଉଁଥିରେ କିଛି କର୍ମୀ ଓ ବରିଷ୍ଠ ନେତାଙ୍କୁ ପୁଲିସ ଅଟକ ରଖିବା ପରେ ଛାଡି ଦେଇଥିବା ସୂଚନା ରହିଛି । ଏମାନଙ୍କୁ ଭେଟିବା ପାଇଁ ଥାନାରେ ପହଁଚିଥିଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ସେପଟେ ସ୍ଥିତିକୁ ଦେଖି ଇଡି ମୁଖ୍ୟାଳୟରେ ୧୪୪ ଧାରା ଜାରି କରାଯାଇଛି । ରାହୁଲ ପଦ ଯାତ୍ରା କରିବେ ବୋଲି ଘୋଷଣା ରବିବାର ଘୋଷଣା କରିଥିଲେ କିନ୍ତୁ ଏହାକୁ ଅନୁମତି ଦେଇନି ଦିଲ୍ଲୀ ପୁଲିସ । ଦଳ କହିଛି ରାହୁଲଙ୍କ ନାଁରେ ଆସିଥିବା ଅଭିଯୋଗ ମିଥ୍ୟା ଓ ଭିତିହୀନ । ବିରୋଧୀଙ୍କ ମୁହଁ ଚୁପ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ଇଡିର ଅପବ୍ୟହାର କରୁଛି ।

ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ରମନ୍ତ୍ରୀ ତଥା ଆମେଠିର ସାଂସଦ ସ୍ମୃତି ଇରାନୀ କହିଛନ୍ତି, ଦୁର୍ନୀତି ମାମଲାରେ ରାହୁଲ ଗାନ୍ଧୀ ଜାମିନରେ ଅଛନ୍ତି । ଏବେ ଦୁର୍ନୀତିକୁ ସୁରକ୍ଷା ଦେବାକୁ ଯାଇ କଂଗ୍ରେସ ଶାସିତ ରାଜ୍ୟର ନେତାଙ୍କୁ ଦିଲ୍ଲା ଡକାଯାଇଛି । ଏପରି କରି କଂଗ୍ରେସ ତଦନ୍ତକାରୀ ସଂସ୍ଥା ଉପରେ ଚାପ ପକାଉଛି । ଆଉ ଦୂର୍ନୀତିକୁ ସୁରକ୍ଷା ଦେଉଛନ୍ତି ।

ମନି ଲଣ୍ଡରିଂ ମାମଲାରେ ରାହୁଲଙ୍କୁ ଇଡି ଜୁନ୍ ୨ ତାରିଖରେ ହାଜର ହେବାକୁ ଡକାଇଥିଲା । କିନ୍ତୁ ବିଦେଶରେ ଥିବା କହି ରାହୁଲ୍ ହାଜର ହୋଇପାରିନଥିଲେ । ଇଡିର ଦ୍ୱିତୀୟ ନୋଟିସ୍ ପରେ ରାହୁଲ୍ ଗାନ୍ଧି ଆଜି ହାଜର ହୋଇଛନ୍ତି । ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଇଡି ସମନ ପଠାଇଛି । କିନ୍ତୁ କୋଭିଡରେ ଆକ୍ରାନ୍ତ ଥିବା ଯୋଗୁଁ ସୋନିଆ ହାଜର ହୋଇନଥିବା ଜଣାପଡିଛି